ଭୁବନେଶ୍ବର:ରାଜଧାନୀରୁ ଧରାପଡିଲା ସୁପର ଚୋର । ବଡ ବଡ ସପିଂ ମଲରୁ ଲୁଟୁଥିଲା ଲକ୍ଷାଧିକ ଟଙ୍କାର ମାଲ । ଚୋରର ଟାର୍ଗେଟରେ ଥିଲା ନାମୀଦାମୀ ବ୍ରାଣ୍ଡର ଜିନ୍ସ ଓ ଟିସାର୍ଟ । ମଲରୁ ବ୍ରାଣ୍ଡେଡ୍ ଜିନିଷ ଚୋରି କରି ବାହାରେ ୩ ହଜାର ଟଙ୍କାର ଜିନିଷକୁ ମାତ୍ର ୩୦୦ ଟଙ୍କାରେ ବିକ୍ରି କରୁଥିଲା । ଏହି ଚୋରି ଭିଆଇବାକୁ ସେ ନକଲି ସେଲ୍ସମ୍ୟାନ ସାଜିଥିଲା । ଏଥିପାଇଁ ମଲର ସିକ୍ୟୁରିଟିକୁ ଚମକା ଦେବାକୁ ଯାଇ କିଛି ଟେକନିକର ବ୍ୟବହାର ମଧ୍ୟ କରୁଥିଲା ।
ଏଥିସହ ବାରକୋର୍ଡ ଟାମ୍ପର ସହ ମାଗ୍ନେଟିକ ଟ୍ୟାଗକୁ କାଟିବା ପାଇଁ ବ୍ୟବହାର କରୁଥିଲା କଟର । ସେଲ୍ସମ୍ୟାନ ଆଳରେ ଟ୍ରାୟଲ ରୁମରୁ ଗାୟବ କରୁଥିଲା ନାମୀଦାମୀ କମ୍ପାନିର ପ୍ୟାଣ୍ଟସାର୍ଟ । ୩ ହଜାର ଟଙ୍କାର ଜିନିଷ କୁ ୩୦୦ ଟଙ୍କାରେ ବିକ୍ରି ବେଳେ ଅନେକ ସନ୍ଦେହ କରିଵାରୁ ନିଜେ ବୁଲି ବୁଲି ସପିଂ ମଲରେ ଗ୍ରାହାକ ଯୋଗାଡ କରୁଥିଲା । ନିଜକୁ ସପିଂ ମଲର କର୍ମଚାରୀ ଭାବେ ପରିଚୟ ଦେଇ ମଲକୁ ଆସୁଥିବା ଗ୍ରାହକଙ୍କୁ କର୍ମଚାରୀ କୋର୍ଡରେ ସ୍ପେଶାଲ ଡିସକାଉଣ୍ଟ ଦେବା ଆଳରେ ମଲ ବାହାରକୁ ଡକାଇ ଚୋରି ଜିନିଷ ବିକୁଥିଲା । ଏହିପରି ଢଙ୍ଗରେ ସହୀଦନଗର ଥାନା ଅଞ୍ଚଳରେ ଥିବା ଅନେକ ମଲର ଚୋରି କରୁଥିଲା ଚୋର । ଯାହାଫଳରେ ଅନେକ ସପିଂ ମଲ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିଲେ ।