ଭୁବନେଶ୍ବର:ରାଜଧାନୀରେ ଗାଡି ପାର୍କିଂ କରୁଥିଲେ ସାବଧାନ ! କାରଣ ପାର୍କିଂ ଫି ନାଁରେ ଚାଲିଛି ବଟି ଆଦାୟ । କିଛି ଅସାଧୁ ଲୋକେ ରାଜଧାନୀ ଭୁବନେଶ୍ବରରେ ବେଆଇନ ପାର୍କିଂ ଫି ଆଦାୟ କରୁଛନ୍ତି । ଏପରିକି ସେମାନେ ଏଥିପାଇଁ ଦାଦାଗିରି କରିବାକୁ ପଛାଉ ନାହାନ୍ତି । ଗତ ୨୫ ତାରିଖରେ କ୍ୟାପିଟାଲ ଥାନାରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ଏହି ବେଆଇନ ପାର୍କିଂ ଫି ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଆଧାରରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ପଶ୍ଚିମବଙ୍ଗର ପ୍ରସନ୍ନଜିତ ଦାସ ଅଧିକାରୀ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଅଭିଯୋଗକାରୀ ଜଣକ ନିଜ କାର ଯୋଗେ ବାପୁଜୀନଗର ମାର୍କେଟକୁ ଯାଇଥିଲେ । ସେଠାରେ ସେ ରବିନ୍ଦ୍ର ମେଡିସିନ ଦୋକାନ ସମ୍ମୁଖରେ କାର ପାର୍କିଂ କରିବା ସମୟରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ସେଠାକୁ ଆସି ପାର୍କିଂରେ ସହାୟତା କରିବା ସହିତ ୨୦ ଟଙ୍କାର ଏକ ବିଏମସି ପାର୍କିଂ ଟିକେଟ ଦେଇଥିଲେ । ଅଭିଯୋଗକାରୀ ବିଏମସି ଲୋଗୋ ଥିବା ଭାବି ସହଜରେ ବିଶ୍ବାସ କରିନେଲେ । କିଛି ସମୟ ପରେ ସେ କାମ ସାରି କାର ନେବା ନିମନ୍ତେ ସେଠାରେ ଆସି ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ପାର୍କିଂ ଫି ବାବଦରେ ଆହୁରି ୫୦ ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ଜଣକ କାହିଁକି ବୋଲି ପ୍ରଶ୍ନ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନାନା ପ୍ରକାର ଧମକ ଚମକ ଦେଇଥିଲେ । ଏନେଇ ସେ ଅଭିଯୁକ୍ତ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।