ଭୁବନେଶ୍ବର: ବିଧାନସଭାରେ ଆଜି ଗୃହୀତ ହୋଇଛି ୨୨ ଟି ବିଭାଗର ଖର୍ଚ୍ଚ ଦାବି । ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ଆଲୋଚନା ସହ ପରିତ ହୋଇଥିବାବେଳେ ଅନ୍ୟ ୨୦ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଜରିଆରେ ପାରିତ ହୋଇଛି ।
ବିଧାନସଭାରେ ଗୃହୀତ ହୋଇଛି ଶିଳ୍ପ ବିଭାଗର ଖର୍ଚ୍ଚ ଦାବି । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଭାଗ ପକ୍ଷରୁ ୬୭୧ କୋଟି ୪୦ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଗୃହରେ ଆଗତ କରାଇଛନ୍ତି । ଖର୍ଚ୍ଚ ଦାବି ଉପରେ ଆଲୋଚନା, ବିଚାର ପରେ ବିଧାନସଭାରେ ଗୃହିତ କରାଇଛନ୍ତି ବାଚସ୍ପତି ।
ସେହିପରି ଗୃହୀତ ହୋଇଛି ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଭାଗ ପକ୍ଷରୁ ୧୮୨ କୋଟି ୮୨ ଲକ୍ଷ ୪୩ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୃହରେ ଆଗତ କରାଇଛନ୍ତି । ଖର୍ଚ୍ଚ ଦାବି ଉପରେ ଆଲୋଚନା, ବିଚାର ପରେ ବିଧାନସଭାରେ ଗୃହିତ କରାଇଛନ୍ତି ବାଚସ୍ପତି । ଆଲୋଚନା ବେଳେ ଉଭୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କକ୍ଷତ୍ୟାଗ କରିଥିଲେ ବିରୋଧୀ ଦଳ ସଦସ୍ୟ ।
ଅନ୍ୟପଟେ ଗିଲୋଟିନ ଜରିଆରେ ପାରିତ ହୋଇଛି ୨୦ ଟି ବିଭାଗର ଖର୍ଚ୍ଚ ଦାବି । ବିରୋଧୀଙ୍କ ଅନୁପସ୍ଥିତିରେ ବାଚନିକ ଭୋଟ ମଧ୍ୟମରେ ସବୁ ବିଭାଗର ଖର୍ଚ୍ଚ ଦାବିକୁ ବିଧାନସଭାରେ ଗୃହୀତ କରାଇଛନ୍ତି ବାଚସ୍ପତି । ପୂର୍ବରୁ ୨୪ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବିଚାର ପରେ ପାରିତ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର