ଭୁବନେଶ୍ବର:ଟ୍ରାନ୍ସଜେଣ୍ଡରଙ୍କୁ ପାଇଁ ଜାରି ହେଲା ସମାନ ସୁଯୋଗ ନୀତି, ଗଠନ ହେବ ପରାମର୍ଶଦାତା ପରିଷଦ । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଶ୍ରବଣ ଶକ୍ତିବାଧିତ, ଦୃଷ୍ଟି ବାଧିତ ଓ ବରିଷ୍ଠ ନାଗରିକଙ୍କ ଭଳି କିନ୍ନରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲକ୍ ବ୍ୟବସ୍ଥା କରାଯିବ । ସେହିପରି ଟ୍ରାନ୍ସଜେଣ୍ଡର ଆଡଭାଇଜରି କାଉନସିଲ୍ ଗଠନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହାସହ ରାଜ୍ୟରେ କିନ୍ନରଙ୍କୁ ସମାନତା ଅଧିକାର ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ସମାନ ସୁଯୋଗ ନୀତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯାହାକୁ କିନ୍ନର ସମାଜ ସ୍ବାଗତ କରିଥିବାବେଳେ ଘୋଷଣାର କାର୍ଯ୍ୟକାରୀତାକୁ ଅପେକ୍ଷା କରିଛନ୍ତି । ଟ୍ରାନ୍ସଜେଣ୍ଡରମାନଙ୍କୁ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ଜାରି କରାଯାଇଛି । ଟ୍ରାନ୍ସଜେଣ୍ଡର ଅଧିକାର ସୁରକ୍ଷା ନିୟମ ମୁତାବକ ଚାକିରି ବା ଯେକୌଣସି କ୍ଷେତ୍ରରେ ନିରାପଦ ପରିବେଶ ଯୋଗାଇବା ପାଇଁ ପ୍ରତ୍ୟେକ ପ୍ରତିଷ୍ଠାନ ସମସ୍ତ ପଦକ୍ଷେପ ପାଳନ କରିବେ ।
ଭିତ୍ତିଭୂମିରେ ସଂଶୋଧନ ସହ ନିଯୁକ୍ତି, ରୋଜଗାର ସୁବିଧା, ପଦୋନ୍ନତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସମାନ ସୁଯୋଗ ଯୋଗାଇ ଦିଆଯିବ । ସେମାନଙ୍କ ପ୍ରତି ଯେପରି କୌଣସି ଭେଦଭାବ ନହେବ ସେଥିଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ୨୫ ରୁ ୩୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଯାଉଥିବା ସମ୍ମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଶ୍ରବଣ ଶକ୍ତିବାଧିତ, ଦୃଷ୍ଟିବାଧିତ ଓ ବରିଷ୍ଠ ନାଗରିକଙ୍କ ଭଳି କିନ୍ନରମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲକ୍ ବ୍ୟବସ୍ଥା କରାଯିବ ।