ଭୁବନେଶ୍ବର: ଦେଶରେ ମହାମାରୀ ସଂକଟ ସହ ଆଭ୍ୟନ୍ତରୀଣ ପ୍ରସଙ୍ଗ ପାଇଁ ଏବେ ରାଜ୍ୟ ଅର୍ଥନୀତି ଉପରେ ଜବରଦସ୍ତ ପ୍ରଭାବ ପଡିଛି । ଯାହା ଆଜି ବିଧାନସଭାରେ ସ୍ବୀକାର କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ଏକ ଅଣତାରକା ପ୍ରଶ୍ନ କରି ଜାଣିବାକୁ ଚାହିଁଥିଲେ କି କେନ୍ଦ୍ରୀୟ ଅନୁଦାନ କମୁଥିବାରୁ ରାଜ୍ୟ ରାଜକୋଷ ଚାପରେ ଅଛି କି ? ଜିଏସଟି କ୍ଷତି ଭରଣା ପାଇଁ ରାଜ୍ୟ ସରକାର କେତେ କୋଟି ଟଙ୍କା ଋଣ କରିବାକୁ ନିଷ୍ପତି ନେଇଛନ୍ତି । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ 2015-16 ରୁ 19-20 ପର୍ଯ୍ୟନ୍ତ କେତେ ଟଙ୍କା କ୍ଷତି ସହିଛନ୍ତି । ସେହିପରି କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶଧନ ବାବଦକୁ କେତେ ଟଙ୍କା ମିଳିନାହିଁ? ପ୍ରାକୃତିକ ବିପର୍ଯ୍ୟସ୍ତ ମୁକାବିଲା ପାଇଁ କମିଶନ କରିଥିବା ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନଥିବା କେତେ ସତ୍ୟ?
ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ କୋଭିଡ ମହାମାରୀ ପାଇଁ କେନ୍ଦ୍ରୀୟ ଅନୁଦାନ କମୁଥିବାରୁ ରାଜ୍ୟ ରାଜକୋଷ ଉପରେ ସିଧା ସଳଖ ପ୍ରଭାବ ପଡୁଛି । ରାଜ୍ୟର ନିଜସ୍ବ ସଂଗ୍ରହରେ କିଛି ମାତ୍ରାରେ ଏହାର ପ୍ରଭାବ ପଡିଛି । ଆର୍ଥିକ ବର୍ଷ 2020-21 ଜାନୁୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହରେ ପୂର୍ବ ବର୍ଷର ଆଦାୟ ତୁଳନାରେ 7.69 ପ୍ରତିଶୃତି ବୃଦ୍ଧି ପାଇଛି । କିନ୍ତୁ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶଧନ ଜାନୁୟାରୀ ସୁଦ୍ଧା 18 ହଜାର 926 କୋଟି 77 ଲକ୍ଷ ଟଙ୍କା ମିଳିଛି, ଯାହା ପୂର୍ବ ବର୍ଷର 24 ପ୍ରତିଶତ କମ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।