ଭୁବନେଶ୍ବର: ବିଜୟନଗରମ-ଟିଟିଲାଗଡ଼-ରାଇପୁର ରେଳ ଲାଇନର ୫୬ କିମି ଲମ୍ବ ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ୯୦କିମି ଲମ୍ବ ନୌପଡା-ଗୁଣୁପୁର ରେଳ ସେକ୍ସନରେ ବିଦ୍ୟୁତିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ । ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରାଯାଉଛି ।
ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନରେ ୫୬ କିମି ରେଳ ଲାଇନ ପାଇଁ ବିଦ୍ୟୁତିକରଣ ବାବଦରେ ପ୍ରାୟ ୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନୌପଡା-ଗୁଣୁପୁର ରେଳ ସେକ୍ସନରେ ୯୦ କିମି ରେଳ ଲାଇନ ପାଇଁ ବିଦ୍ୟୁତିକରଣ ବାବଦରେ ପ୍ରାୟ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି I
ବର୍ତ୍ତମାନ ସମ୍ବଲପୁର ରେଳ ମଣ୍ଡଳରେ ବିଭିନ୍ନ ରେଳ ସେକ୍ସନ ଯଥା ଝାରସୁଗୁଡା-ସମ୍ବଲପୁର, ସମ୍ବଲପୁର-ଅନୁଗୁଳ, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ସିଙ୍ଗାପୁର ରୋଡ଼ ଏବଂ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ମାନଙ୍କରେ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ କରାଯାଇ ଇଲେକ୍ଟ୍ରିକ୍ ରେଳ ଇଞ୍ଜିନ ଦ୍ବାରା ଟ୍ରେନ ଚଳାଚଳ କରୁଛି I ଏତତବ୍ୟତୀତ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନର ବେଲସୋଣ୍ଡା-କୋମାଖନ-ଖରିଆର ରୋଡ଼ ରେଳ ସେକ୍ସନର କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ ହୋଇଯିବ I