ଭୁବନେଶ୍ବର: କୋଭିଡ ଜନିତ ଆର୍ଥକ ମାନ୍ଦାବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଆଜି କୋଭିଡ ପରିଚାଳନା ଵିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ MGNREGS ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍ ଭାବରେ କାର୍ଯ୍ୟ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏତଦ୍ବ୍ୟତୀତ ଚାଷୀ, ମିଶନ ଶକ୍ତିର ମା ମାନେ, MSME ଓ ବୁଣାକାର ମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭାରତର ପ୍ରଥମ ତୈମାସିକ ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩ ପ୍ରତିଶତ ଥିବାରୁ ଆମର ଲୋକମାନଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ହଜାରରେ ପହଞ୍ଚିଥିବାରୁ ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ କୋଭିଡ ଯୋଦ୍ଧା ତଥା ଡାକ୍ତର, ସ୍ବାସ୍ଥ୍ୟକର୍ମୀମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନନ୍ଦନ ଜଣାଇଥିଲେ ।