ଭୁବନେଶ୍ବର:କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲାର ପିପିଲି ବୀରପୁରୁଷତ୍ତୋମପୁର ଗ୍ରାମର ସ୍ବପ୍ନେଶ୍ବର ମହାଦେବ ମନ୍ଦିରର ସଂରକ୍ଷଣ ଓ ରତ୍ନଚିରା ମୂହାଣରେ ଥିବା ଐତିହ୍ୟ ରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଚିଠିରେ ଦାବି ।
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଇନଟାକ ପକ୍ଷରୁ ରତ୍ନଚିରା ଉପତ୍ୟକା ଓ ଐତିହ୍ୟ ରାଜିର ଅନୁସନ୍ଧାନ କରାଯାଇଥିଲା । ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତ୍ତୋମପୁର ଗ୍ରାମରେ ମାଟି ତଳୁ ୬-୭ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ସନ୍ଧାନ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ମହାଦେବଙ୍କ ପାଇଁ ସମର୍ପିତ ହୋଇ ସ୍ବପ୍ନେଶ୍ବର ମନ୍ଦିର ଭାବରେ ପରିଚିତ ଅଛି । ୧୩୦୦-୧୪୦୦ ବର୍ଷ ପୂର୍ବେ ଏହି ମନ୍ଦିର କଳିଙ୍ଗ କୀର୍ତିରାଜିର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆକଳନ କରାଯାଇଛି । ତେବେ ଏହି ମନ୍ଦିରର ଢାଞ୍ଚାର ସ୍ଥିତି ବିପଦଜ୍ଜନକ ଅବସ୍ଥାରେ ଥିବା ଧର୍ମେନ୍ଦ୍ର ଦର୍ଶାଇଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାର ଶୀଘ୍ର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ଥିବା କହିଛନ୍ତି ।