ଭୁବନେଶ୍ବର:ମହଙ୍ଗା ପଡିଲା ବେଆଇନ ଖଣି ଖନନ । ରାଜ୍ୟ ସରକାର ରୟାଲଟି ହରାଇବା ପରେ ଅଡୁଆରେ ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକ । ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓରଫ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର(ED) ଚଢ଼ାଉ । ଚଢାଉ ପରେ ଇଡି ହାତରେ ଲାଗିଛି ୧୩୩ କୋଟିର ଫିକ୍ସ ଡିପୋଜିଟ ସହ ନଗଦ ୬୯ଲକ୍ଷ ଟଙ୍କା । ଯୋଡ଼ାରେ ୨ଟି ଜାଗା, ଭୁବନେଶ୍ବରର ସୂର୍ଯନଗରରେ ଘର ସହ ରସୁଲଗଡ ଗୁଞ୍ଜନ ପାଲେସରେ ଥିବା ଘରେ ଏକକାଳୀନ ଚଢ଼ାଉ ବେଳେ ମିଳିଲା ଆର୍ଥିକ କାରବାରର ସୁରାକ୍ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳାଇଛି ତନାଘନା ।
ଜାଲ ଦସ୍ତଖତ ଜରିଆରେ କାଗଜ ହାତେଇ 1999 -2009 ପର୍ଯ୍ୟନ୍ତ ବେଆଇନ ଖଣି କାରବାର କରିଥିଲେ ଜିତୁ ପଟ୍ଟନାୟକ । ଯାହା ଫଳରେ ରାଜ୍ୟ ସରକାରଙ୍କୁ 130କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିବା ଜଣାପଡିଛି । ଏନେଇ ଭିଜିଲାନ୍ସ 2009 ମସିହାରେ FIR ହେବା ସହ 2013ରେ ଚାର୍ଜସିଟ ଦାଖଲ ହୋଇଥିଲା । ଏବେ ସେହି ବେଆଇନ ଖଣି ଖନନ ଏବଂ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ED) ଏକକାଳୀନ ଖଣି ମାଲିକଙ୍କ ଆର୍ଥିକ କାରବାରର ଖିଅ ଖୋଲିଛି । ଭୁବନେଶ୍ବର ଓ ଯୋଡ଼ାରେ ରେଡ଼ କରି ସମସ୍ତ ମନି ଲଣ୍ଡରିଂ ଖୁଲାସା ଚଳାଇଛି । ତେବେ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ବଂଶୀଧର ପଟ୍ଟନାୟକଙ୍କୁ 260 ଏକର ମାଇନିଂ ଲିଜ ଅକାରରେ ଦିଆଯାଇଥିଲା ।