ଭୁବନେଶ୍ବର: ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି ପାଇଁ ପୂର୍ବତଟ ରେଳପଥର ପ୍ରୟାସ । ଏଥିପାଇଁ ପରିବେଶ ନିର୍ଦ୍ଦେଶାବଳୀ ଅନୁସରଣ କରି ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ 311 ରେକ୍ (ଟ୍ରେନ) ଫ୍ଲାଏ-ଆଶ (ଶିଳ୍ପ ସଂସ୍ଥାରୁ ନିର୍ଗତ ପାଉଁଶ) ପରିବହନ କରିଛି । ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ)ର ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଛି । ଗ୍ରାହକ ଏବଂ ଶିଳ୍ପ ସହିତ ବାରମ୍ବାର ଯୋଗାଯୋଗରେ ଥାଇ ପୂର୍ବତଟ ରେଳପଥର ବ୍ୟବସାୟ ବିକାଶ ୟୁନିଟ୍ ରେଳ ମାଧ୍ୟମରେ ବିଭିନ୍ନ ଅଣ-ବଲ୍କ ସାମଗ୍ରୀ ଟ୍ରାଫିକ୍ ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିଛି ।
ପରିବହନ କ୍ଷେତ୍ରରେ ରେଳବାଇର ଅଂଶ ବୃଦ୍ଧି କରାଇବା ଏବଂ ସଡକରୁ ରେଳ ମାଧ୍ୟମରେ ମୋଡାଲ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପରିସୀମାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକରୁ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଫ୍ଲାଏ-ଆଶ ପରିବହନ ପାଇଁ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ ୟୁନିଟ୍ ପଦକ୍ଷେପ ନେଇଛି ।
ପାରମ୍ପାରିକ ପରିବହନ ଢାଞ୍ଚାରେ ରେଳବାଇର ଅଂଶକୁ ମଜବୁତ କରିବା ଏବଂ ରେଳବାଇକୁ ଅଧିକ ଟ୍ରାଫିକ୍ ଆକର୍ଷିତ କରିବା ପାଇଁ ଏହା ହେଉଛି ଗୋଟିଏ ପଦକ୍ଷେପ । ଫ୍ଲାଏ-ଆଶ ପରିବହନରେ ଅଂଶଗ୍ରହଣକାରୀମାନେ ପରିବେଶ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଫ୍ଲାଏ-ଆଶକୁ ଶତ ପ୍ରତିଶତ ବ୍ୟବହାର ପାଇଁ ମିଳିତ ପ୍ରୟାସ କରିବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ଫ୍ଲାଏ-ଆଶ ଉତ୍ପାଦକ, ପରିବହନକାରୀ ଓ ଶେଷ ଉପଭୋକ୍ତାଙ୍କ ମିଳିତ ପ୍ରୟାସରେ ଏହାକୁ ସୁନିଶ୍ଚିତ କରିଛନ୍ତି ।