ଭୁବନେଶ୍ବର: ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା କେତେକ ପିଲା ମଜା ନେବାପାଇଁ ଚଳନ୍ତା ଟ୍ରେନକୁ କରଥାନ୍ତି ପଥର ମାଡ଼ । ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ବିଭିନ୍ନ ସମୟରେ ସଙ୍କଟର ସାମ୍ନା କରନ୍ତି । ପୂର୍ବତଟ ରେଳବାଇର ସୁରକ୍ଷା ବଳ ଏହାର ପରିସୀମା ମଧ୍ୟରେ କେତେକ ସ୍ଥାନକୁ ଚିହ୍ନିତ କରିଛି । ଯେଉଁଠାରେ ହିଁ ପଥର ଫିଙ୍ଗ ଘଟଣା ନିୟମିତ ବ୍ୟବଧାନରେ ଘଟିଚାଲିଛି I ଏହାର ଶିକାର ହେଉଛନ୍ତି ରେଳ ଯାତ୍ରୀ । ଏହି ଘଟଣା ସମ୍ବନ୍ଧରେ ରେଳବାଇରେ ମଧ୍ୟ ଅଭିଯୋଗ ଆଣୁଛନ୍ତି I
ଏଥିପାଇଁ ରେଳବାଇ ପକ୍ଷରୁ ଚିହ୍ନିତ ସ୍ଥାନରେ ସୁରକ୍ଷା ବଳ କର୍ମଚାରୀ, ରେଳଧାରଣା ନିକଟରେ ପ୍ରହରା ଦେଉଛନ୍ତି । ଏହାସହ ସାଧା ପୋଷାକରେ ମଧ୍ୟ ପଥର ଫିଙ୍ଗା ଘଟଣା ସମ୍ବନ୍ଧରେ ନିରୀକ୍ଷଣ କରୁଛନ୍ତି I ଏହା ବ୍ୟତୀତ ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପିଲାଙ୍କ ପିତାମାତାଙ୍କୁ ଏ ବିଷୟରେ ଅବଗତ କରାଯିବା ସହ, ସେମାନଙ୍କ ପିଲାଙ୍କୁ ରେଳଧାରଣା ନିକଟକୁ ନ ଛାଡ଼ିବାକୁ କୁହାଯାଇଛିI
ସାଧାରଣ ଜନତା ବିଶେଷ କରି ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପିଲାଙ୍କ ଦ୍ବାରା ଚଳନ୍ତା ଟ୍ରେନ ଉପରେ ପଥର ଫିଙ୍ଗା ଯାଇଥିବା ନେଇ ଘଟଣା ସାମ୍ନାକୁ ଆସୁଛି । ଏ ବିଷୟରେ ସଚେତନ କରାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ଏକ ମାସ ପର୍ଯ୍ୟନ୍ତ ଚାଲୁରହିଛି । ଯେଉଁଥିରେ ପଥପ୍ରାନ୍ତ ନାଟକ ସହିତ ପୋଷ୍ଟର, ବ୍ୟାନର, ପାମ୍ପଲେଟ ମାଧ୍ୟମରେ ସଚେତନ କରାଯାଉଛି I
ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ପ୍ରମୁଖ ସୁରକ୍ଷାଆୟୁକ୍ତ ରାଜା ରାମଙ୍କ ନେତୃତ୍ବରେ ସୁରକ୍ଷା ବଳକୁ ନିର୍ଦ୍ଧାରିତ ସ୍ଥାନରେ ନିୟୋଜିତ କରାଯାଇଛି । ସେହି ସ୍ଥାନରେ ଯୁବ ଗୋଷ୍ଠୀ ଓ ସାଧାରଣ ପିଲାଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରି ସଚେତନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ କେବଳ ବୁଝାସୁଝା ମାଧ୍ୟମରେ ଏହି ପଥର ଫିଙ୍ଗାରୁ ନିବୃତ ରହିବାକୁ ନିବେଦନ କରାଯାଉଅଛି । ଯାହା ଫଳରେ ପିଲା ସଚେତନ ହୋଇପାରିବେI
ରେଳବାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ଯୁବ ଓ ଛୋଟ ପିଲାଙ୍କୁ ଚକୋଲେଟ ସହିତ ଅନ୍ୟାନ ଉପହାର ଦେଖାଇ ବୁଝାସୁଝା କରାଯାଉଅଛି । ଏବେ ବେଳେ ବେଳେ ସେମାନଙ୍କର ଏହି ପ୍ରବୃତି ଚଳନ୍ତା ଟ୍ରେନ ରେ ଯାତାୟାତ କରୁଥିବା ନିଜ ସମ୍ପର୍କୀୟ କିମ୍ବା ପରିବାର ବର୍ଗଙ୍କର ମଧ୍ୟ ହାନି କରିପାରେ ବୋଲି ସଚେତନତା କରାଯାଉଛିI ଚଳନ୍ତା ଟ୍ରେନ ଉପରକୁ ପଥର ଫିଙ୍ଗା ଘଟଣାରେ ଯାତ୍ରୀ ଗୁରୁତର ଆହତ ହେଉଥିବା ଘଟଣା ନଜରକୁ ଆସିଛି I ଅନେକ ଯାତ୍ରୀ ଏହି ବିଷୟରେ ଅଭିଯୋଗ ଆଣିଥିବା ବେଳେ ଟ୍ରେନର ଶୀତତାପ ନିୟନ୍ତ୍ରିତ ବଗିର ଝରକା କାଚ ମଧ୍ୟ ପ୍ରଭାବିତ ହେଉଅଛି I କେବଳ ଜାତୀୟ ସମ୍ପତ୍ତି ନୁହେଁ ବରଂ ଯାତ୍ରୀଙ୍କ ଜୀବନ ମଧ୍ୟ ସଂକଟରେ ପଡିପାରେI ଏହି ବିପଦକୁ ଦୃଢତାର ସହ ଏବଂ ନିରନ୍ତର ପ୍ରୟାସ ମାଧ୍ୟମରେ ସମସ୍ୟାର ସମାଧାନ କରିବା ଉପରେ ଧ୍ୟାନ ଦିଆଯାଉଛି।
ରେଳବାଇର ହସ୍ତଗତ ତଥ୍ୟ ଅନୁଯାଇ ୨୦୧୮ ମସିହାରେ ଭୁବନେଶ୍ବର ଅଞ୍ଚଳରେ ୬ଟି, କଟକ ଅଞ୍ଚଳରେ ୨ଟି ଏବଂ ସମ୍ବଲପୁର ରେଳମଣ୍ଡଳରେ ଦୁଇଟି ଘଟଣା ସହିତ ଚଳନ୍ତା ଟ୍ରେନ ଉପରକୁ ସମୁଦାୟ ୧୦ଟି ପଥର ଫିଙ୍ଗା ଘଟଣା ଘଟିଛି । ୨୦୧୯ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମୁଦାୟ ୧୮ଟି ଘଟଣା ଘଟିଛି । ଯେଉଁଥିରେ ୪ଟି ଘଟଣା ଯାଜପୁର-କେନ୍ଦୁଝର ରୋଡ଼ ଅଞ୍ଚଳରେ, ଭୁବନେଶ୍ବର ଓ ବିଶାଖାପାଟଣା ଅଞ୍ଚଳରେ ପ୍ରତ୍ୟକ ୩ଟି ଘଟଣା ଏବଂ ନିର୍ଗୁଣ୍ଡି, ମୋଟାରି, ରମ୍ଭା, ସୋଲାରି, ବାଲୁଗାଁ, ଇଚ୍ଛାପୁରମ, ଅନୁଗୁଳ ଓ କୋରାପୁଟ ଅଞ୍ଚଳରେ ପ୍ରତ୍ୟକ ଗୋଟିଏ କରି ଘଟଣା ଘଟିଛି I ୨୦୧୮ ରେ ଜଣଙ୍କୁ ଏବଂ ୨୦୧୯ ରେ ଜଣେ ନାବାଳକଙ୍କ (ଜୁଭେନାଇଲ) ସମେତ ଦୁଇଜଣଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I
ଏହି ବିପଦପୂର୍ଣ୍ଣ ଘଟଣାକୁ ରୋକିବା ପାଇଁ ରେଳବାଇକୁ ସହାୟତା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି। କୁହାଯାଇଛି ଯେ ସେମାନେ ରେଳବାଇ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୮୨ କୁ ଡାଏଲ କରି ଏହି ସମ୍ବନ୍ଧରେ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ