ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆସୁଛି ନୂଆ ଇ-ଯାନ ନୀତି । ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ବ୍ୟାଟେରୀ, ବିଦ୍ୟୁତ ଚାଳିତ ଗାଡି ପାଇଁ ମିଳିବ ସ୍ୱତନ୍ତ୍ର ରିହାତି । ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବାକୁ ଯାଉଛନ୍ତି ଓଡ଼ିଶା ସରକାର । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ବିଦ୍ୟୁତ ଚାଳିତ ଯାନ କିଣିବାକୁ ପ୍ରୋତ୍ସାହନ ଯୋଗାଇ ଦେବେ ରାଜ୍ୟ ସରକାର । ୨ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦେବେ ସରକାର । ସେହିପରି ୩ ଚକିଆ ଯାନ ପାଇଁ ୧୨ ହଜାର ଟଙ୍କାର ରିହାତି ମିଳିବ । ଏହା ସହ ୪ ଚକିଆ ଯାନ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କାର ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ଅଫିସ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଘରୋଇ କମ୍ପାନୀ ମଧ୍ୟ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ ।