ଭୁୂବନେଶ୍ବର:ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳନ ହେବ ଦଶହରା । ପୁଣି ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମା' ଦୁର୍ଗା । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଆଉ ମା'ଙ୍କ ଧରାବତରଣକୁ ନେଇ ସବୁଠି ସାଜସଜା ସହ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀର ପ୍ରତିଟି ପୂଜା ମଣ୍ଡପରେ ଦୁର୍ଗା ପୂଜାକୁ ଧୁମ ଧାମରେ ପାଳନ କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି ।
ନୟାପଲ୍ଲୀ ପୂଜା ମଣ୍ଡପରେ ସଚେତନଧର୍ମୀ ତୋରଣ
ନୟାପଲ୍ଲୀ ପୂଜା ମଣ୍ଡପରେ ଦୁର୍ଗା ପୂଜାକୁ ନେଇ ମୂର୍ତ୍ତି ତିଆରି ଓ ତୋରଣ ପ୍ରସ୍ତୁତିରେ ଦିନରାତି ଏକ କରି ଦେଇଛନ୍ତି କାରିଗର । ଚଳିତ ବର୍ଷ ମଧ୍ୟ ଏଠାରେ ନିଆରା ପରିକଳ୍ପନାର ତୋରଣ ଝଲସିବ। ୩୫ ବର୍ଷରେ ପଦାର୍ପଣ କରିଥିବା ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପରେ ନିଆରା ଶୈଳୀରେ ପୂଜା କରିବାକୁ ଯାଉଛି କମିଟି। କାରଣ ଏଥର ମଣ୍ଡପରେ ଶୋଭାପାଇବ ସଚେତନଧର୍ମୀ ତୋରଣ। ଯାହାର ଥିମ ରହିଛି ସଭ୍ୟତାର ଆଲୋକରେ ମା'ର ଋଣ ଅର୍ଥାତ ନିରାଶ୍ରିତ ମା’ ବାପାଙ୍କ ଦୁଃଖଭରା କାହାଣୀକୁ ନେଇ ସଚେତନଧର୍ମୀ ତୋରଣ । ତୋରଣରେ ପ୍ରଦର୍ଶିତ ହେବ ଜରାଶ୍ରମରେ ଗୁମୁରି କାନ୍ଦୁଥିବା ବୃଦ୍ଧ ବାପାମା’ଙ୍କ ଚଳଣି। ଯୁବପିଢ଼ିକୁ ତଥା ସ୍ବାର୍ଥପର ସମାଜକୁ ଚେତାଇ ଦେବା ଉଦ୍ଦେଶ୍ୟରେ ଏଥର ଏହି ପୂଜା କମିଟି ମା’ ଜଗତଜନନୀଙ୍କୁ ‘ବୃଦ୍ଧାଶ୍ରମ’ରେ ଉପବେଶନ କରୁଛି । ତୋରଣ ତିଆରି ପାଇଁ ୩୦ରୁ ୪୦ ଜଣ ବଙ୍ଗୀୟ କାରିଗର ନିୟୋଜିତ ହୋଇଛନ୍ତି। ପୂଜା ବାବଦକୁ ୨୫ ଲକ୍ଷ ଟଙ୍କାର ବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୭ରୁ ୧୮ ଫୁଟ୍ ଏବଂ ମେଢ଼ର ଉଚ୍ଚତା ୨୦ରୁ ୨୧ ଫୁଟ ହେବ।
ସୁରକ୍ଷା ବ୍ୟବସ୍ଥା
ଷଷ୍ଠି ଠାରୁ ଭସାଣି ଯାଏଁ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଷଷ୍ଠୀରେ ଭଜନ ସମାରୋହ, ସପ୍ତମୀରେ ମେଲୋଡି କାର୍ଯ୍ୟକ୍ରମ, ଅଷ୍ଟମୀରେ ଭଜନ ଓ ନବମୀରେ ମଧ୍ୟ ବଡ଼ ଧରଣର ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜାର ମୁଖ୍ୟ ଆକର୍ଷଣ ହେବ ଦଶମୀ ଦିନର ‘ରାବଣପୋଡ଼ି ଉତ୍ସବ’। କଟକଣା ଅନୁଯାୟୀ ଚଳିତ ବର୍ଷ ବାଣ ଫୁଟାଇବାକୁ ଅନୁମତି ନଥିବାରୁ ସେ ସବୁକୁ ବାଦ୍ ଦେଇ ବିଧି ମୁତାବକ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଜାତୀୟ ରାଜପଥରେ ଏହି ପୂଜା ମଣ୍ଡପ ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦ ମହିଳା ଯୁବକ ଓ କିନ୍ନର ସ୍ବେଚ୍ଛାସେବୀମାନଙ୍କୁ ଏଠାରେ ନିୟୋଜିତ କରାଯିବ । ଭିଡକୁ ନଜରରେ ରଖି ଭକ୍ତଙ୍କ ସୁରକ୍ଷା ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଥିବା କହିଛନ୍ତି କମିଟି ସଦସ୍ୟ ଚିତ୍ରସେନ ବେହେରା ।