ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ପୂଜା କମିଟି ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି । ଏଥର ମା’ ପାର୍ବତୀଙ୍କ ମଥାରେ ଝଲସିବ ଚାନ୍ଦିର ମୁକୁଟ ସାଙ୍ଗକୁ ମହାଦେବ ଶିବଙ୍କ ଖଡୁ ଆଉ ତ୍ରିଶୁଳ । କାରଣ ଏଥର ଶାରଦୀୟ ପୂଜାରେ ୟୁନିଟ 1 ସ୍ଥିତ ମହାଦେବ ପୂଜା କମିଟି ପକ୍ଷରୁ ପ୍ରଥମ ଥର ପାଇଁ ମା’ଙ୍କ ମୁକୁଟ ଚାନ୍ଦିରେ ତିଆରି କରିବାକୁ ଯୋଜନା ହୋଇଛି। ଯେଉଁଥିରେ 3କେଜିରୁ ଊର୍ଦ୍ଧ୍ବ ରୁପା ବ୍ୟବହାର ହେବ ବୋଲି ଜଣାପଡିଛି ।
ଏହା ସହିତ ଏଥର 70 ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ କରାଯିବ । ଯାହାକି କାଚ ଓ ଶାମୁକାରେ ପ୍ରସ୍ତୁତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଶାରଦୀୟ ଦୁର୍ଗା ପୂଜା ପାଖେଇ ଆସୁଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ସେହି କ୍ରମରେ ୟୁନିଟ 1ସ୍ଥିତ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟି ପକ୍ଷରୁ ସ୍ଥାନୀୟ କସ୍ତୁରବା ନାରୀ ମହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।