ଭୁବନେଶ୍ବର:ଭୁବନେଶ୍ବରରେ ନକଲି କାରଖାନା । ତାପୁଣି ବ୍ରାଣ୍ଡେଡ କଂପାନୀର ଲୁଣ ଓ ସର୍ଫ କାରଖାନା । ପାହାଳ ଥାନା ଶିବ ଶକ୍ତି ନଗର ଲେନ ନମ୍ବର 15ରେ ରେଡ୍ ବେଳେ ଠାବ ହୋଇଛି ଏହି ନକଲି କାରଖାନା । ଚଢାଉ ବେଳେ ଏହି କାରଖାନାରୁ ବିପୁଳ ପରିମାଣର ଲୁଣ ସହ ସର୍ଫ ମଧ୍ୟ ଜବତ କରିଛି ଭୁବନେଶ୍ବର କମିସନରେଟ ପୋଲିସ ।
ଭୁବନେଶ୍ୱରରେ ନକଲି ସର୍ଫ ଓ ଲୁଣ କାରଖାନା ! ସୂଚନା ଅନୁଯାୟୀ, ଭୁବନେଶ୍ବର ପାହାଳ ଥାନା ଅନ୍ତର୍ଗତ ଶିବ ଶକ୍ତି ନଗରର ଲେନ ନମ୍ବର 15ରେ ଏକ ଘରେ କମିଶନରେଟ ପୋଲିସର ଚଢାଉ । ଚଢାଉ ବେଳେ ପୋଲିସ ଅଧିକାରୀ ତାଜୁବ ହୋଇ ଯାଇଥିଲେ । ଏକ ପରିତ୍ୟକ୍ତ ଆଜବେଷ୍ଟସ୍ ଘରେ ଥାକ ଥାକ ହୋଇ ଥୁଆ ହୋଇଛି ବସ୍ତା ବସ୍ତା ଲୁଣ ଓ ସର୍ଫ ଗୁଣ୍ଡ । ଅନ୍ୟ ଏକ ରୁମରେ ଅତ୍ୟାଧୁନିକ ପ୍ୟାକିଂ ମେସିନ ଓ ବ୍ରାଣ୍ଡେଡ କଂପାନୀର ମାଳ ମାଳ ପ୍ୟାକଂ ଜରି । ଏହିଘରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା । ଆଉ ଏଠାରୁ ଗାଡିରେ ବିଭିନ୍ନ ରିଟେଲରଙ୍କ ପାଖକୁ ଛଡ଼ା ଯାଉଥିଲା । ଖେଲା ବଜାରରେ ବିକ୍ରି କରିବା ପାଇଁ । ବ୍ରାଣ୍ଡେଡ କଂପାନୀର ପଲି ପ୍ୟାକ ଆଉ ଲୋଗକୁ ଏଭଳି ପ୍ରଣ୍ଟିଂ କରାଯାଇଥିଲା ଯେ, ତାହା ସାଧାରଣ ଗ୍ରାହକଟିଏ ପାଇଁ ଜାଣିବା ମୁସ୍କିଲ ହେଇଯିବ । ବଜାରରେ ଅରଜିନାଲ ସାମଗ୍ରୀ ସହିତ ଏହି ନକଲି ସାମଗ୍ରୀକୁ ଏକାଠି ରଖିଦେଲେ କୋଉଟା ଅସଲି ଏବଂ କୋଉଟା ନକଲି ଜାଣିବା ନେଇ ଦ୍ବନ୍ଦରେ ପଡିଯିବ ଖାଉଟି ।
ଏହା ବି ପଢନ୍ତୁ-ରାଜଧାନୀରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ
ସାଧାରଣ ଗ୍ରାହକକୁ ଚକମା ଦେଇ ଏଭଳି ନକଲି ସାମଗ୍ରୀ ବଜାରକୁ ଛାଡି ଦୀର୍ଘଦିନ ହେଲା ମୁନାଫା କମାଉଥିଲେ ଅସାଧୁ ବେପାରୀ । ଏନେଇ କୌଣସି ସୁତ୍ରରୁ ଖବର ପାଇଥିଲା କମିସନରେଟ ପୋଲିସ । ଏହାପରେ ଯୋଜନା କରି ଆତର୍କିତ ଚଢାଉ କରିଥିଲା ଏହି ନକଲି କାରଖାନା ଉପରେ । ଚଢାଉକାରୀ ଦଳ ଏହି ନକଲି କାରଖାନାରୁ ବିପୁଳ ପରିମାଣର ଲୁଣ ଓ ସର୍ଫ, ନକଲି ପ୍ୟାକିଂ ଜରି, ପ୍ୟାକିଂ ମେସିନ, ସାମଗ୍ରୀ ପରିବହନ ନିମନ୍ତେ ଉଦ୍ଦିଷ୍ଟ ଗାଡି ମଧ୍ୟ ଜବତ କରାଯାଇଛି । ଏନେଇ ପୋଲିସ ଟ୍ରେଡ ମାର୍କ ଆକ୍ଟର ଭାଓଲେସନ ଆଧାରରେ ଏକ ମାମଲା ରୁଜୁ କରି ନକଲି କାରଖାନାର ଅସଲି କର୍ମଚାରୀଙ୍କ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଛାନଭିନ କରୁଛି । ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି, "ଏହି ଘଟଣାରେ ପୋଲିସ ଅଟକ ଥିବା ବ୍ୟକ୍ତି କହିଛି କାରଖାନା ୨ବର୍ଷ ହେଲା ଚାଲୁଥିଲା । ଘଟଣାର ତଦନ୍ତ ଚାଲିଛି । ଏଠାରୁ କେଉଁ କେଉଁ ସ୍ଥାନକୁ ସାମଗ୍ରୀ ଯାଉଥିଲା । କେଉଁ ଦୋକାନରେ ଏହି ନକଲି ସାମଗ୍ରୀ ବିକ୍ରୀ ହେଉଥିଲା ତାର ତଦନ୍ତ କରାଯିବ ।"
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୀର୍ଘ ଦୁଇ ବର୍ଷ ହେଲା ଏହି ନକଲି କାରଖାନା ଚାଲୁଥିଲେ ହେଁ କମିସନରେଟ ପୋଲିସ ଏହାର ଟେର ପାଇନଥିଲା କେମିତି । ଏହି ନକଲି କାରଖାନାରୁ ବଜାରକୁ ଯାଇଥିବା ନକଲି ଲୁଣ ଓ ସର୍ଫ କିଣି କ୍ଷତି ସହିଛି ସାଧାରଣ ଖାଉଟି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ନକଲି କାରଖାନାରୁ କେତେ ପରିମାଣରେ ନକଲି ଲୁଣ ଓ ସର୍ଫ ବଜାରକୁ ଯାଇଛି ତାର ଖେଳତାଡ଼ କରିବ କି ପୋଲିସ । ଅପମିଶ୍ରଣ କରିଥିବା ନକଲି କାରଖାନାର ଅସଲି ମାଲିକ କେତେ ଟଙ୍କାର ମୁନାଫା କମେଇଛି ତାର ଯାଂଚ କରିବ କି ପୋଲିସ । ଅସାଧୁ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବକି ପୋଲିସ । ପୋଲିସ ତଦନ୍ତ କରି ଅପରାଧର ଚେର ଯାଏଁ ପହଞ୍ଚିପାରିବ ତ ।
ସୂଚନା ଥାଉକି, ଆଗରୁ ମଧ୍ୟ କଟକରେ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ, ଘିଅ, ସାବୁନ, ମୋବିଲ ଆଦି ନକଲି କାରଖାନା ଉପରେ ଚଢାଉ କରିଥିଲା ପୋଲିସ । କଟକ କମିସନରେଟ ପୋଲିସ ଜବତ କରିଥିଲା କୁଇଣ୍ଟାଲ ଅପମିଶ୍ରିତ ସମଗ୍ରୀ । କଟକରେ ବାରମ୍ବାର ଧରପଗଡ଼ ପରେ ଏବେ ଭୁବନେଶ୍ବର ମୁହାଁ ହୋଇଛନ୍ତି ଅପମିଶ୍ରଣକାରୀ ଓ ଅସାଧୁ ବେପାରୀ ।
ଇଟିଭି ଭାରତ, ଭୁବନେଶ୍ବର