ଓଡିଶା

odisha

By

Published : Nov 30, 2021, 10:07 PM IST

ETV Bharat / city

Cyclone Jawad Alert; ଡିସେମ୍ବର ୬ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡିବେନି କୃଷି ଅଧିକାରୀ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ (Department of Agriculture and Farmers Empowerment) ପକ୍ଷରୁ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଅଧିକ ପଢନ୍ତୁ

Krishi Bhawan Odisha
Krishi Bhawan Odisha

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ (Department of Agriculture and Farmers Empowerment) ପକ୍ଷରୁ ଆଜି (ମଙ୍ଗଳବାର) ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବୈଶିଷ୍ଟ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀ ଭିସି ଜରିଆରେ ଯୋଡି ହୋଇଥିଲେ ।

ବୈଠକର ନିଷ୍ପତ୍ତି ଅନୁସାରେ ସମସ୍ତ ଅଧିକାରୀମାନେ ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ନିଜର ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଫସଲ ସୁରକ୍ଷା ଉପଦେଶାବଳୀକୁ କମ୍ୟୁନିଟି ରେଡିଓ (Community Radio) ଏବଂ ଡାକବାଜି ଯନ୍ତ୍ର (loudspeaker) ସାହାଯ୍ୟରେ ଚାଷୀମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଶେଷ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗର(Bay of Bengal) ରେ ଏକ ବାତ୍ୟା ସୃଷ୍ଟି ହେବ ।

୪ ତାରିଖ ସକାଳ ଦକ୍ଷିଣ - ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଛି । ଏହାର ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂପୁର, ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ଓ ପରାମର୍ଶ ଦିଆଯାଇଛି । ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୯୦ % ଧାନ ଏବଂ ଅଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୫୦ % ଧାନ କଟା ହେବାକୁ ବାକିଅଛି । ମଧ୍ୟମ କିସମ ଧାନ କଟା ଚାଲିଛି । କପା ତୋଳିବା ଚାଲିଛି ଏବଂ ରବି ଫସଲ ଯଥା ମୁଗ, ବିରି, ପନିପରିବା ବୁଣା ଚାଲିଛି । ସେଥିପାଇଁ ସମସ୍ତ ଜିଲ୍ଲାର ଗାଁ ଗାଁ ରେ ନିଜ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାପାଇଁ ମାଇକ ଦ୍ବାରା ପ୍ରଚାର କରାଯାଉଛି ।

ବିଭାଗ ପକ୍ଷରୁ ଦିଆଯାଇଥିବା ପରାମର୍ଶ...(Suggestions for the department for Farmer)

  • ଶତକଡା ୮୫ ଭାଗ ପାଚିଯାଇଥିଲେ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।
  • କଟା ହୋଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥନ ଘୋଡାଇ ସୁରକ୍ଷିତ ରଖନ୍ତୁ ।
  • ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବାପାଇଁ ନାଳି କରନ୍ତୁ ଏବଂ ନାଳି ମୁହଁ ଖୋଲା ରଖନ୍ତୁ ।
  • ଧାନଗଛ ପଡି ଯାଇଥିଲେ ହଳା କରି ଠିଆ କରନ୍ତୁ ।
  • ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ ।
  • ବର୍ଷା ସମୟରେ କୌଣସି କୀଟନାଶକ ସିଞ୍ଚନ କରନ୍ତୁ ନାହିଁ ।
  • ମୁଗ, ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା କରନ୍ତୁ ।
  • ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ ।
  • କପା ଫସଲରେ ପାକଳ ହୋଇଥିବା ବକରା ଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ ।
  • ବର୍ଷାର ପରବର୍ତ୍ତୀ ୩ - ୪ ଦିନପରେ ଖରାରେ ସୁଖାନ୍ତୁ ।
  • ସମସ୍ତ ରବି ଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖନ୍ତୁ ।
  • ଆଳୁ ଆଦି ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ ।
  • କୀଟନାଶକ ଔଷଧ ସିଞ୍ଚନ ଓ ଜଳ ସେଚନ ସାମୟିକ ବନ୍ଦ ରଖନ୍ତୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details