ଓଡିଶା

odisha

By

Published : Aug 12, 2020, 5:05 PM IST

ETV Bharat / city

ପଇସା ଅଭାବରୁ କୌଣସି କୋରୋନା‌ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପଇସା ଅଭାବରୁ କେହି ବି କୋଭିଡ୍-19‌ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ
ପଇସା ଅଭାବରୁ କେହି ବି କୋଭିଡ୍-19‌ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଇସା ଅଭାବରୁ କେହି ଜଣେ ବି କୋଭିଡ୍-19‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବୁଧବାର ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପଇସା ଅଭାବରୁ କେହି ବି କୋଭିଡ୍-19‌ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ ।
କୋରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି । ଏହା ଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମଙ୍ଗଳବାର ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନେ ଯେପରି ସ୍ବେଚ୍ଛାକୃତ ଭାବେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବିଡିଓ ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀମାନଙ୍କୁ ଘରେ ଚିକିତ୍ସା ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି ଏବଂ ରୋଗୀମାନଙ୍କୁ ମେଡିସିନ୍‌ କିଟ୍‌ ଓ ଟେଲି ମେଡିସିନ ଯୋଗେ ଡାକ୍ତରୀ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାଗୁଡିକ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଯେ ସାରା ଦେଶରେ କୋଭିଡ୍‌ ନିୟନ୍ତ୍ରଣରେ ଓଡିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍‌ମା ଡୋନର ପ୍ଲାଜ୍‌ମା ଦାନ କରିଥିବା ବେଳେ ୧୩୨ ଜଣ ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଛନ୍ତି । ୧୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି ବୋଲି ବୈଠକରେ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୦.୬୦ ରହିଛି । ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ RT-PCR Machine ସ୍ଥାପନ କରିବା, ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍‌ମା ଦାତାମାନଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକମାନଙ୍କ ସହ ଜିଲ୍ଲାର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), E & IT ବିଭାଗ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details