ଭୁବନେଶ୍ବର: ଡ୍ରେନରେ ଭାସି ଛାତ୍ର ମୃତ୍ୟୁ ଘଟଣାରେ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ । ଗତ ୬ ବର୍ଷ ମଧ୍ୟରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସତ୍ତ୍ବେ ଏଥିପାଇଁ ନଗର ଉନ୍ନୟନ ବିଭାଗ ଓ ବିଏମସି କର୍ତ୍ତୃପକ୍ଷ ସମ୍ପର୍ଣ୍ଣ ନିରବ ଦ୍ରଷ୍ଟା ପାଲଟିଯାଇଛନ୍ତି । ଏହି ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ ।
ଭୁବନେଶ୍ବରେ ଡ୍ରେନରେ ଭାସି ଛାତ୍ର ମୃତ୍ୟୁ ଘଟଣାରେ ଜୋର ଧରିଲା ରାଜନୀତି । ବିଏମସି କମିଶନର ସଞ୍ଜୟ ସିଂ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବାକୁ ଦାବି କଲା ଛାତ୍ର କଂଗ୍ରେସ । କେବଳ ଏତିକି ନୁହେଁ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ମଧ୍ୟ ବହିଷ୍କାର କରିବାକୁ ଦାବି ହୋଇଛି । ତୁରନ୍ତ ବହିଷ୍କାର କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ୟାଶିର ନବାଜଙ୍କ ନେତୃତ୍ବରେ ଶତାଧିକ ଛାତ୍ର ମାଷ୍ଟର କ୍ୟାଣ୍ଟିନ ଠାରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେପଟେ କଂଗ୍ରେସ ସ୍ବରରେ ବିଜେପି ସ୍ବର ମିଳାଇଛି।