ଭୁବନେଶ୍ବର : ଖୁବଶୀଘ୍ର ଡ୍ରାଇଭିଂ ଟେଷ୍ଟରେ ହେବ ପରିବର୍ତ୍ତନ । ମାନୁଆଲ ନୁହେଁ ଡିଜିଟାଇଜେସନରେ ହେବ ଡ୍ରାଇଭ ଟେଷ୍ଟ। ଏଥିପାଇଁ କ୍ୟାମେରା ଦେଖିବ ଡ୍ରାଇଭିଂ ଟେଷ୍ଟ।
ଆଉ ଡିଜିଟାଲ ମୋଡରେ ମିଳିବ ଡ୍ରାଇଭ ଲାଇସେନ୍ସ। ଏଥିପାଇ ଡ୍ରାଇଭିଂ ଟେଷ୍ଟ ଟ୍ରାକରେ ଆରମ୍ଭ ହେବାକୁ ଯାଉଛି ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ । ଏନେଇ ସମସ୍ତ ଆରଟିଓ ଟେଷ୍ଟ ସେଣ୍ଟରରେ ଲାଗିବାକୁ ଯାଉଛି ଏହି ADTS ସେଟ୍ ଅପ୍ ।
ପ୍ରଥମ ପର୍ଯ୍ୟାୟରେ 19ଟି ଆରଟିଓ ଅର୍ଥାତ୍ ଅନୁଗୁଳ,ବାରିପଦା ,ଭଦ୍ରକ, ବଲାଙ୍ଗୀର, ଦେଓଗଡ଼,ଢେଙ୍କାନାଳ ,ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ, ତାଳଚେର , କେନ୍ଦୁଝର , ମାଲକାନଗିରି, ନୂଆପଡା, ଭଞ୍ଜନଗର, ନବରଙ୍ଗପୁର ଓ ସୋନପୁର ଠାରେ ଡ୍ରାଇଭିଂ ପରୀକ୍ଷଣ ଟ୍ରାକରେ ADTS ସ୍ଥାପନ କରାଯିବ। ଏହି ନୂଆ ସିଷ୍ଟମ ଦ୍ବାରା ଆପଣଙ୍କର ଡ୍ରାଇଭିଂ ଦକ୍ଷତା ବିଷୟରେ ନିଷ୍ପତ୍ତି କ୍ୟାମେରା, ସେନ୍ସର ଏବଂ କମ୍ପ୍ୟୁଟର ଦ୍ୱାରା ନିଆଯିବ । ପରିବହନ ବିଭାଗ, ଓଡିଶା ଖୁବଶୀଘ୍ର ଏହାର ଡ୍ରାଇଭିଂ ଟେଷ୍ଟ ସିଷ୍ଟମକୁ ଅପଗ୍ରେଡ୍ କରୁଛି ।
ସଡକ ଦୁର୍ଘଟଣାର ସାଂଘାତିକତାକୁ ହ୍ରାସ କରିବା ସହ ମାନୁଆଲ ଯାଞ୍ଚ ଏବଂ ମାନବ ହସ୍ତକ୍ଷେପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ (ADTS) ପ୍ରତିଷ୍ଠା କରୁଛି। ଏନେଇ ପରିବହନ ବିଭାଗ ଟେଣ୍ଡର ଜାରି କରିଛି । ଏହି ସିଷ୍ଟମ କେବଳ ଆବେଦନକାରୀଙ୍କ ଡ୍ରାଇଭିଂ ସ୍କିଲର ଯାଞ୍ଚ କରିବ ନାହିଁ ବରଂ ଲାଇସେନ୍ସ ପ୍ରଦାନ କରିବା ସମୟରେ ସ୍ୱଚ୍ଛତା ମଧ୍ୟ ସୁନିଶ୍ଚିତ କରିବ ।
ଭିଡିଓ ଆନାଲିଟିକ୍ସ ଟେକ୍ନୋଲୋଜି ,କ୍ୟାମେରା ଏବଂ ସେନ୍ସରର ବ୍ୟବହାର କରି ଏହି ସିଷ୍ଟମରେ ଏକ ଅତ୍ୟାଧୁନିକ ସେଟଅପ୍ ପ୍ରଦର୍ଶିତ ହେବ । ଯାନଗୁଡିକର ପ୍ରବେଶ ଠାରୁ ଆରମ୍ଭ କରି ଏହାର ଯାଞ୍ଚ ଏବଂ ଡ୍ରାଇଭିଂ ପରୀକ୍ଷା ପର୍ଯ୍ୟନ୍ତ ସବୁ କିଛି ଡିଜିଟାଲ ପଦ୍ଧତି ମାଧ୍ୟମରେ କରାଯିବ । ଟ୍ରାକରେ ଫିଟ ହୋଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସର ଗୁଡ଼ିକ ଏହା ଉପରେ ନଜର ରଖିବ । ଏହାସହ ଆବେଦନକାରୀଙ୍କ ବିଚାର କରିବ ।