ଭୁବନେଶ୍ବର: ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେଉଥିବ ଅସୀମ ଉତ୍ସବର ଆଜି ଥିଲା ଉଦଯାପନୀ ସନ୍ଧ୍ୟା। ଆଉ ଏହି ସନ୍ଧ୍ୟାରେ ଭୁବନେଶ୍ବରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଉତ୍ତରପୁରୁଷ ଭେଟି ଦେଇଥିଲା ନାଟକ ‘ସବୁଠୁ ଉଦାସ କବିତା’। ଯେଉଁଥିରେ କିପରି ଜଣେ ଯୁବ ସାମ୍ବାଦିକା ଅପୂର୍ବା ନିଜ କଲମ ମୁନରେ ସମାଜର ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରି ସୁଦ୍ଧା ସେଥିରେ ବିଫଳ ହେବାରୁ ସଶସ୍ତ୍ର ସଂଗ୍ରାମର ପଥକୁ ବାଛି ନେଇଛି। ତେବେ ଏହି ସଂଘର୍ଷ ଭିତରେ ସେ ପ୍ରେମ କରି ବସିବା ସହ ତାକୁ ସାକାର କରିବା ବେଳେକୁ ସମାଜର ଅବହେଳିତ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ବାଛି ନେଉଛି ମୃତ୍ୟୁର ରାସ୍ତାକୁ।
ଆଜିକା ସମାଜରେ ଅନେକ ସ୍ଥାନରେ ଏହା ଘଟୁଥିବାବେଳେ ସରକାରୀ କଳ, ଭ୍ରଷ୍ଟ ରାଜନେତା ଓ ନ୍ୟାୟିକ ବ୍ୟବସ୍ଥା ପାଇଁ ସାଧାରଣ ଲୋକମାନେ ନିର୍ଯ୍ୟାତନାର ଶିକାର ହେଉଥିବା ଏଥିରେ ନିଚ୍ଛକ ଭାବେ ଉପସ୍ଥାପିତ କରାଯାଇଛି। ଏହି ନାଟକରେ ମଞ୍ଚସଜ୍ଜା ବିଷୟବସ୍ତୁ ଥିଲା ଅନୁରୂପ , ମଝିରେ ମଝିରେ ଉଦାସ ଘୁଙ୍ଗୁରର ଶବ୍ଦ ଦର୍ଶକଙ୍କୁ ନାଟକ ସହିତ ବାନ୍ଧିରଖିଥିଲା । ଅତସୀ ବସୁଙ୍କର ମଂଚ କଳା ନାଟକର ଅନୁରୂପ ଥିଲା | ଦୃଶ୍ୟରେ ଅପୂର୍ବ ଫାଶୀ ପାଇବା ପରେ ସାରା ଅଡିଟୋରିଅମ ନିରବ ହୋଇ ଯାଇଥିଲା|