ଭୁବନେଶ୍ବର:ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ । ବନ୍ଦ ଥିବା ରେଷ୍ଟରୁମରୁ ମୃତଦେହ ଜବତ କଲା କମିଶନରେଟ୍ ପୋଲିସ । ମୃତ ଡାକ୍ତର ହେଲେ ଶିଶିର କୁମାର ସାହୁ ଏବଂ ସେ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ହିସାବରେ କାର୍ଯ୍ୟରତ ଥିଲେ । ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ସନ୍ଦେହ ଉପୁଜୁଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, ଶିଶିର ଏକ ଘରୋଇ ହସ୍ପିଟାଲରେ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ଭାବେ କାର୍ଯ୍ୟରତ ରହିଥିବା ବେଳେ କିଛି ସମୟ ପାଇଁ ରେଷ୍ଟରୁମ ଯାଇଥିଲେ ।
ହେଲେ ସେ ନିଜ ଚାମ୍ବରକୁ ନଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟରୁମକୁ ଯାଇ ଡାକ୍ତର ଜଣକ ବେଡ୍ରେ ପଡିଥିବା ଦେଖିବାକୁ ପାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଡାକ୍ତରଙ୍କ ରୁମରୁ କିଛି ଇଞ୍ଜେକ୍ସନ ସିସି ଜବତ କରିଛି ପୋଲିସ । ୨୨ଦିନ ତଳେ ବିବାହ କରିଥିବା ଝାରସୁଗୁଡାର ୩୨ ବର୍ଷିୟ ଯୁବ ଡାକ୍ତରଙ୍କ ମୃତଦେହ ଉଦ୍ଧାରପରେ ବଢିଛି ସନ୍ଦେହ । ନିଜ ଦେହରେ ନିଜେ ଇଞ୍ଜେକ୍ସନ ନେଇ ଏପରି ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।