ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଘାରିଛି ସଙ୍ଗଠନ ଚିନ୍ତା । ତେଣୁ ବିଜେଡି ସଂଗଠନରେ ଖୁବଶୀଘ୍ର ହେବାକୁ ଯାଉଛି ନବକଳେବର । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଶକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ । ତେଣୁ ଆସନ୍ତା କିଛିଦିନ ମଧ୍ୟରେ ପର୍ଯ୍ୟବେକ୍ଷକ ଓ ସଂଗଠନିକ ଜିଲ୍ଲା ସଭାପତିଙ୍କ ଅଦଳବଦଳ କରିବେ ନବୀନ । ସେଥିପାଇଁ ଚାଲିଛି ଅଙ୍କକଷା ।
BJD Politics: ବଦଳିବେ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ବିଜେଡି ସଂଗଠନରେ ଥିବା ଫାଟ ଏବେ ଜଳଜଳ ହୋଇ ଦିଶୁଛି । ଯାହାର ପ୍ରମାଣ ପଞ୍ଚାୟତ ଓ ପୌର ନିର୍ବାଚନରେ ମିଳିଛି । ଦଳ ସିନା ପଞ୍ଚାୟତ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି । କିନ୍ତୁ ସଂଗଠନରେ ଥିବା ଦୁର୍ବଳତା ପଦାରେ ପଡିଛି । ଉଭୟ ନିର୍ବାଚନରେ ଦଳ ଭିତରକୁ ବିଜେଡିକୁ ବିଦ୍ରୋହର ସାମ୍ନା କରିବାକୁ ପଡିଛି । ଅନେକ ସ୍ଥାନରେ ବିଦ୍ରୋହୀ ପ୍ରାର୍ଥୀ ସାମ୍ନାକୁ ଆସିଥିଲେ । ଏମିତିକି ଦଳୀୟ କାର୍ଯ୍ୟାନୁଷ୍ଠାନ ଭୟ ସେମାନଙ୍କୁ ପ୍ରଭାବିତ କରିନଥିଲା । କିଛିଙ୍କୁ ଦଳ କଳ, ବଳ ଓ କୌଶଳ ଲଗାଇ ମନେଇ ଥିବା ବେଳେ ଅଧିକାଂଶ ଅବୁଝା ହୋଇଗଲେ ।
ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ସରିଛି । ସମବାୟ ଓ ବ୍ରଜରାଜନଗର ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଅଛି । ତେଣୁ ଏବେ ସଂଗଠନରେ ଥିବା ଦୁର୍ବଳତାକୁ ସଜାଡିବାର ପ୍ରକୃଷ୍ଟ ସମୟ । ତେଣୁ ଦଳ ସଜାଡିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସଭାପତି । ମନ୍ତ୍ରୀ ମଣ୍ଡଳ ଅଦଳବଦଳ, ନିଗମ ପରିବର୍ତ୍ତନ ଓ ରାଜ୍ୟସଭା ପ୍ରାର୍ଥୀ ଚୟନ ସହ ସଂଗଠନ ସଜଡା ଏକା ସାଙ୍ଗରେ କରିବାକୁ ସ୍ଥିର କରିଛି ଶାସକ ବିଜେଡି । ଗତ ନିର୍ବାଚନର ପ୍ରଦର୍ଶନ ଓ ଦକ୍ଷତା ଭିତିରେ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ବ ବାଣ୍ଟିବେ ବିଜେଡି ସଭାପତି । ବିଜେଡିରେ ସଂଗଠନ ସଜାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏନେଇ ଦଳ ସଜବାଜ ହୋଇଛି । ଫଳାଫଳ ଅନୁସାରେ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତିଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ଦଳର ବରିଷ୍ଠ ନେତା । ଖରାପ ପ୍ରଦର୍ଶନର କାରଣ ଖୋଜିବା ସହ ସଂଗଠନ ମଜବୁତ କରିବା ଲାଗି ପରାମର୍ଶ ମଧ୍ୟ ମଗାଯାଉଛି । କିଛିଦିନ ମଧ୍ୟରେ ବିଜେଡିରେ ହେବ ଆମୂଳଚୂଳ ପରିବର୍ତ୍ତନ । ବଦଳିବେ ପର୍ଯ୍ୟବେକ୍ଷକ, ସାଙ୍ଗଠନିକ ଜିଲ୍ଲା ସଭାପତି, ଏନେଇ ବରିଷ୍ଠ ନେତା ଆଭାସ ଦେଇ ସାରିଲେଣି । ସଂଗଠନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର ।
ଦେବୀ କହିଛନ୍ତି ଯେ, 2024 ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ବ୍ୟାପକ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଦଳ । ଆବଶ୍ୟକ ପଡିଲେ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମଧ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି । ବିଜେଡି ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡିଶାର ବିକାଶ ଲାଗି ଅନବରତ ଚେଷ୍ଟା ଜାରି ରଖିଛନ୍ତି । ଯାହା କୁହାଯାଉଛି, ତାହା କାମରେ ପ୍ରତିଫଳିତ ହେଉଛି । ସେଥିପାଇଁ ଲୋକଙ୍କର ଆସ୍ଥା ଓ ବିଶ୍ବାସ ଅଛି । ସବୁ ରାଜନୈତିକ ଦଳ 2024 ପାଇଁ ସଜବାଜ ହେବେ । ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ରାଜ୍ୟବାସୀଙ୍କ ସଦିଚ୍ଛା ଓ ଆଶୀର୍ବାଦ ମିଳିଛି । ଏହାକୁ ପାଥେୟ କରି ବିଜୁ ବାବୁ ଶ୍ରଦ୍ଧା ଦିବସରେ ସଂକଳ୍ପ ନେଇଛୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ବିକାଶ ଲାଗି କାର୍ଯ୍ୟ କରିବୁ । ଲୋକ ବଳ ହିଁ ବିଜେଡିର ଶକ୍ତି । ସାଙ୍ଗଠନିକ ଶକ୍ତି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ବଳରେ ବିଜେଡି ଆଗକୁ ବଢୁଛି । ତେଣୁ ସଶକ୍ତ ସଂଗଠନ ଗଠନ କରିବା ନେଇ ଦଳ ରଣନୀତି ପ୍ରସ୍ତୁତ କରୁଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ