ଭୁବନେଶ୍ବର:ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ.ଜି) ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଛି । ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପେନସନ ଅଦାଲତ । ଜିଲ୍ଲାପାଳ ଭିନୀତ ଭରଦ୍ବାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପ ଲେଖା ନିୟନ୍ତ୍ରକ ପୁଷ୍ପଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।
ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ କହିଛନ୍ତି ଯେ ‘ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦେଶନାମା’ ରହିଛି । ଏହାସତ୍ବେ ପେନସନ ମଞ୍ଜୁରକର୍ତ୍ତାମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉ ନାହାନ୍ତି । ଯାହାଫଳରେ ବାହୁବର୍ଷ ଧରି ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ 2018 ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି । ମାତ୍ର ପେନସନ ମଞ୍ଜୁର କର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି । ଆସନ୍ତା ଜୁଲାଇ ମାସରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁର କର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି ।