ଭୁବନେଶ୍ବର: କୋରୋନା ଭୂତାଣୁ ବିରୋଧରେ ଭାରତର ନିରବିଛିନ୍ନ ସଂଘର୍ଷ । ମହାମାରୀର ମରଣଯନ୍ତା ଭିତରେ ଛଟପଟ ମଣିଷର ପ୍ରାଣବାୟୁ । ଅମ୍ଳଜାନ ପାଇଁ ଚାରିଆଡେ ହାହାକାର । ଅଦୃଶ୍ୟ ଶତ୍ରୃକୁ ମାତ ଦେବାକୁ ଚାଲିଛି ମହାଯୁଦ୍ଧ । ରଣଭୂମିରେ ଏବେ ସେନାପତି ସାଜି ଛିଡା ହୋଇଛି ଓଡିଶା । ମହାମାରୀ କୋରୋନା ପ୍ରକୋପରେ ଅଣନିଶ୍ବାସୀ ଦେଶବାସୀଙ୍କ ନିଶ୍ବାସ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହି ନିଶ୍ବାସ ପଛରେ ରହିଛି ରାଜ୍ୟବାସୀଙ୍କ ଆକୁଣ୍ଠ ସମର୍ଥନ ।
ମହାମାରୀ ଦ୍ବିତୀୟ ଲହରୀ ମାଡରେ ଦୋହଲିଛି ଦେଶ । ବ୍ୟବସ୍ଥାର ପାଦ ତଳୁ ଖସୁଛି ମାଟି । ଗୋଟିଏ ପକ୍ଷେ ବେକାବୁ କୋରୋନାର ଭୟାବହ ସ୍ଥିତି ଆଉ ଅନ୍ୟପକ୍ଷେ ଦେଶରେ ଅମ୍ଳଜାନର ସଙ୍କଟ । ଫେଲ୍ ମାରିଛି ବଡବଡ ରାଜ୍ୟଗୁଡିକର ରଣନୀତି । କୋରୋନାର ଭୟାବହତା ମଧ୍ୟରେ ଅମ୍ଳଜାନର ଅଭାବ ଯୋଗୁଁ ଯେତେବେଳେ ରାଜ୍ୟଗୁଡିକର ଅସହାୟତା ଜଳଜଳ କରି ଦେଖାଯାଉଛି, ସେତେବେଳେ ଅଟକିଥିବା ଦେଶର ପ୍ରଶ୍ବାସକୁ ଓଡିଶା ଯୋଗାଉଛି ଅକ୍ସିଜେନ ବୁଷ୍ଟର । ଆଉ ଏହି ଯୁଦ୍ଧର ମଙ୍ଗ ଧରିଛନ୍ତି ଖୋଦ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ । ସଙ୍କଟର ଘଡିରେ ସହଯୋଗର ହାତ ବଢାଇ ନବୀନ ପାଲଟିଯାଇଛନ୍ତି ରାଷ୍ଟ୍ରନାୟକ ।
କୋରୋନା ସୁନାମୀରେ ଉବୁଟୁବୁ ହୋଇ ଯେତେବେଳେ ଦେଶବାସୀ ଅଣନିଶ୍ବାସୀ ହେଉଥିଲେ ସେତେବେଳେ ସେମାନଙ୍କୁ ଅମ୍ଳଜାନ ଯୋଗାଇବାକୁ ଅଣ୍ଟା ଭିଡିଥିଲା ଓଡିଶା । ଅକ୍ସିଜେନ ଅଭାବ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ କରି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅକ୍ସିଜେନ ଯୋଗାଣର ମାଷ୍ଟରପ୍ଲାନ । ଶିଳ୍ପକୁ ଅକ୍ସିଜେନ ଉତ୍ପାଦନର ନିର୍ଦ୍ଦେଶ ଦେବା ସହିତ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । 72 ଘଣ୍ଟା ଭିତରେ ଓଡିଶାରୁ ବାହାର ରାଜ୍ୟକୁ ପଠାଯାଇଛି ୪୯ଟି ଅକ୍ସିଜେନ ଟ୍ୟାଙ୍କର । ପାଖାପାଖି 500ରୁ ଉର୍ଦ୍ଧ୍ବ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ସାରିଲାଣି ଓଡିଶା । ରାଉଲକେଲା, ଯାଜପୁର, ଅନୁଗୋଳ ଆଦି ବିଭିନ୍ନ ପ୍ଲାଣ୍ଟରୁ ଏହି ଟ୍ୟାଙ୍କର ଯୋଗାଣ କରାଯାଉଛି ।
ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ, ନବୀନଙ୍କ ଡିଜାଷ୍ଟର ମ୍ୟାନେଜମେଣ୍ଟ ସବୁବେଳେ ଓଡିଶାକୁ ଆତ୍ମବିଶ୍ବାସର ସହିତ ବିପଦର ସାମ୍ନା କରିବାକୁ ଯୋଗାଇ ଆସିଛି ସାହାସ । ପଛୁଆ ରାଜ୍ୟ ବୋଲାଉଥିବା ଓଡିଶା ଆଜି ଦେଶବାସୀଙ୍କୁ ଯୋଗାଉଛି ସଞ୍ଜିବନୀ । ଅଭାବ ଭିତରେ ସଂଘର୍ଷ କରି ଆସିଥିବା ଓଡିଶା ଏବେ ଆତ୍ମ ନିର୍ଭରଶୀଳତାର ପାଲଟିଛି ଉଦାହରଣ । କାହିଁକି କ୍ରାଇସିସ ମ୍ୟାନେଜମେଣ୍ଟରେ ଆଗରେ ରହିଛି ଓଡିଶା ? ସଙ୍କଟ ସମୟରେ ନବୀନଙ୍କ ମାଷ୍ଟରପ୍ଲାନ କିଭଳି ବିପଦ ସହ ମୁକାବିଲା କରିବାକୁ ଓଡିଶାକୁ ଯୋଗାଉଛି ବଳ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଲେଉଟାଇବାକୁ ପଡିବ ବିଗତ ଦିନରେ ଓଡିଶା ସାମ୍ନା କରିଥିବା ବିପର୍ଯ୍ୟୟର ପୃଷ୍ଠା । ଆଉ ବୁଝିବାକୁ ପଡିବ ନବୀନଙ୍କ ରଣନୀତି ।
2020 ମାର୍ଚ୍ଚ 13, ୟେସ ବ୍ୟାଙ୍କ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଟଙ୍କାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିବାକୁ ବିରୋଧୀ ଚଳାଇଥିଲେ ପ୍ରସ୍ତୁତି । ସେତେବେଳକୁ କାୟା ବିସ୍ତାର କରୁଥିଲା ମହାମାରୀ କୋରୋନା । ବିରୋଧୀଙ୍କ ରଣନୀତିକୁ ଚେକ୍ ଦେଇ କୋରୋନା ବିରୋଧରେ ନବୀନ ନେଇଥିଲେ ବଡ ନିଷ୍ପତ୍ତି । COVID-19 ଦିନର ମୂଳ ପ୍ରସଙ୍ଗ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଆଧାରରେ କୋରୋନାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଥିଲେ । ଏହି ବିପତ୍ତିର ସାମ୍ନା କରିବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର । ସମସ୍ୟାର ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ ରଖାଯାଇଥିଲା ।
କୋରୋନାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର 3 ମାର୍ଚ୍ଚ 2020ରେ ପ୍ରାରମ୍ଭିକ ପଦକ୍ଷେପ ନେଇଥିଲେ । ବିଦେଶରୁ ଓଡିଶାକୁ ଆସୁଥିବା ସମସ୍ତଙ୍କୁ ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । 14 ଦିନ କ୍ବାରେଣ୍ଟାଇନ ରହି ଆବଶ୍ୟକୀୟ ଖର୍ଚ୍ଚ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ନବୀନଙ୍କ ଏହି ପ୍ରତିଶ୍ରୃତିରେ ବିଶ୍ବାସ ରଖି ଅନେକ ପ୍ରବାସୀ ଓଡିଆ ନିଜ ରାଜ୍ୟକୁ ଫେରିଆସି ସଙ୍ଗରୋଧରେ ରହିଥିଲେ ।