ଭୁବନେଶ୍ବର:ବହୁ ପ୍ରତିକ୍ଷୀତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ସମ୍ପୂର୍ଣ୍ଣ ହେବା ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଉଦଘାଟନ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଏହାସହ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ତୁରନ୍ତ ଆରମ୍ଭ କରିବା ପାଇଁ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଗ୍ରହର ସହ ନେଇ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଯାତ୍ରୀବାହୀ ଟ୍ରେନ ଚାଲିବା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ସର୍ବ ପ୍ରଥମଥର ହେବ । କେନ୍ଦ୍ରାପଡ଼ାରେ ରେଳ ଚଳାଚଳ ପାଇଁ ଏହି ଜିଲ୍ଲାବାସୀଙ୍କର ଦୀର୍ଘ ବର୍ଷର ସ୍ବପ୍ନ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କର ଏହି ସ୍ବପ୍ନ ପୂରଣ ପାଇଁ ରେଳମନ୍ତ୍ରୀ ତ୍ବରିତ ପଦକ୍ଷେପ ନେବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।
ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ବିଗତ ବର୍ଷ ମାନଙ୍କରେ ଅନେକ ଜନପ୍ରତିନିଧି, ସାଂସଦ ଏହି ପ୍ରକଳ୍ପ ପାଇଁ ନିଜର ଇଚ୍ଛା ଦେଖାଇବା ସହ ତାଙ୍କ ଉପସ୍ଥିତିରେ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ରେଳ ମନ୍ତ୍ରଣାଳୟକୁ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ପୂର୍ବବର୍ତ୍ତୀ ସରକାର ସମୟରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରି ଏହାକୁ ସର୍ବାଧିକ ଗୁରୁତ୍ବ ଦେଲେ । ପ୍ରଗତି ପ୍ରକଳ୍ପରେ ଏହାକୁ ସାମିଲ କରି ଖୋଦ୍ ନିଜେ ଏହି ପ୍ରକଳ୍ପ ଅଗ୍ରଗତିର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା କାରଣରୁ ପ୍ରକଳ୍ପର କାମ ତ୍ବରାନ୍ବିତ ହେଲା ।