ଭୁବନେଶ୍ବର: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର (ଟିଟିପିଏସ) ସମ୍ପସାରଣ ପ୍ରସଙ୍ଗ । ଟିଟିପିଏସ ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିନ୍ବିତ କରିବା ପାଇଁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂଙ୍କୁ ଚିଠି ଲେଖିବା ସହ ଫୋନରେ କଥା ହୋଇଛନ୍ତି ଧର୍ମେନ୍ଦ୍ର ।
ଟିଟିପିଏସ ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ଲେଖିଛନ୍ତି, ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ଷ୍ଟେଜ୍ -3 ସଂପ୍ରସାରଣକୁ ତ୍ୱରାନ୍ୱିତ କର । ଗୁରୁବାର ଏନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂଙ୍କୁ ପତ୍ର ଲେଖିବା ପରେ ଫୋନରେ ଏ ସମ୍ବନ୍ଧରେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିଟିପିଏସର ଏହି ପ୍ରକଳ୍ପ ସମ୍ପ୍ରସାରଣ ସହ ଭବିଷ୍ୟତରେ ଏହା ବନ୍ଦ ହେବନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।
ଟିଟିପିଏସ ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ସେହିପରି ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶା ସରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେଲେ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏନଟିପିସି ଦ୍ୱାରା 2017ରେ ଦାଖଲ ହୋଇଥିବା ଏହି ପ୍ରକଳ୍ପ ପ୍ରସ୍ତାବକୁ 2020 ଫେବୃଆରୀରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଅନୁମତି ପ୍ରଦାନ କରିଥିଲା । ଏହି ପ୍ରକଳ୍ପଟି ଅଞ୍ଚଳର ଜୀବିକା ଏବଂ ଅର୍ଥନୈତିକ ବିକାଶ ଏବଂ ସ୍ୱଳ୍ପ ମୂଲ୍ୟର ନିର୍ଭରଯୋଗ୍ୟ ଶକ୍ତିର ନିରନ୍ତର ଉପଲବ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ପୂର୍ବ ଭାରତରେ ଅର୍ଥନୈତିକ ଅଭିବୃଦ୍ଧିରେ ଓଡିଶାର ପ୍ରମୁଖ ଭୂମିକା ରହିଛି । ପେଟ୍ରୋଲିୟମ, ପେଟ୍ରୋକେମିକାଲ୍ସ, ଲଜିଷ୍ଟିକ୍ସ, ଇସ୍ପାତ ଏବଂ ଖଣିଜ କ୍ଷେତ୍ରରେ ଏକ ଆନ୍ତର୍ଜାତୀୟ ହବ୍ ଭାବରେ ଉଭା ହୋଇଛି । ଅର୍ଥନୈତିକ ଅଭିବୃଦ୍ଧିକୁ ବଳ ଯୋଗାଇବା ଲାଗି ରାଜ୍ୟକୁ ସ୍ୱଳ୍ପ ମୂଲ୍ୟର ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଓଡ଼ିଶାରେ ମୁଣ୍ଡପିଛା ଶକ୍ତି ବ୍ୟବହାର 2013-14 ରେ 1349 KWH ରୁ 2018-19 ରେ 1628 KWH କୁ ବୃଦ୍ଧି ପାଇଛି । ବର୍ତ୍ତମାନ, ଓଡିଶାରେ 30,000 ମେଗାୱାଟ ଶକ୍ତି ଆବଶ୍ୟକତା ରହିଛି । ଯାହା ଭବିଷ୍ୟତରେ ଯଥେଷ୍ଟ ବୃଦ୍ଧି ପାଇବ । ପ୍ରକଳ୍ପଟି ହେଉଛି ସ୍ଥାନୀୟ ଜନସାଧାରଣଙ୍କ ଜୀବିକା ଏବଂ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର ହେଉଛି ଦେଶର ଅନ୍ୟତମ ସର୍ବପୁରାତନ ତାପଜ ବିଦ୍ୟୁତ୍ କେନ୍ଦ୍ର । ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରର ଷ୍ଟେଜ୍-୧ (୨୪୦ ଏମ୍ଡବ୍ଲୁ) ୧୯୬୮ରେ ଏବଂ ୧୯୮୨ରେ ଷ୍ଟେଜ୍-୨ (୨୨୦ଏମ୍ଡବ୍ଲୁ) ଚାଲୁ ହୋଇଥିଲା । ପରେ ୧୯୯୫ରେ ଏହା ଏନ୍ଟିପିସି ଅଧୀନରେ ରହିଛି ।
୨୦୧୦ରେ ଏହାର ସମ୍ପ୍ରସାରଣ ପାଇଁ ଏନ୍ଟିପିସି ପ୍ରସ୍ତାବ ଦେଇ ୬୬୦ ମେଗାଓ୍ଵାଟ୍ ବିଶିଷ୍ଟ ଦୁଇଟି ୟୁନିଟ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ୬୬୦ ମେଗାଓ୍ଵାଟ୍ ଲାଗି ରାଜ୍ୟ ପରିକଳ୍ପିତ ଏଜେନ୍ସି ଗ୍ରିଡ୍କୋ ଲିମିଟେଡ୍ ୨୦୧୦ ଡିସେମ୍ବରରେ ପାଓ୍ଵାର୍ ପର୍ଚେଜ୍ ଏଗ୍ରିମଣ୍ଟେ୍ ସ୍ୱାକ୍ଷରିତ ହୋଇଥିଲା ।
ତେଣୁ ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’ କାର୍ଯ୍ୟକାରୀ କରିବା ଲାଗି ଏନ୍ଟିପିସିକୁ ନିର୍ଦ୍ଦେଶ ଦେବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏଥିପାଇଁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ