ଓଡିଶା

odisha

ETV Bharat / city

ଓଡ଼ିଆ ଭାଷାର ସୁରକ୍ଷା ଚିନ୍ତା, ଝାଡଖଣ୍ଡ-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - ଓଡିଆ ଭାଷା ଝାଡଖଣ୍ଡ

ଓଡ଼ିଆ ଭାଷାର ସୁରକ୍ଷା ନେଇ ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Dharmendra pradhan
ଓଡ଼ିଆ ଭାଷାର ସୁରକ୍ଷା ନେଇ ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

By

Published : Oct 1, 2021, 5:44 PM IST

ଭୁବନେଶ୍ବର:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଆ ଭାଷାର ସୁରକ୍ଷା ନେଇ ପଡ଼ୋଶୀ ରାଜ୍ୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି । ଏହାସହ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବାକୁ ସେ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଥିବା ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ସହ ଝାଡଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଝାଡଖଣ୍ଡ ରାଜ୍ୟ ଗଠନ ହେବା ପରେ ଏହା ସୁନିଶ୍ଚିତ କରାଯାଇଥିଲା ଯେ ଓଡ଼ିଆ ଭାଷାଭାଷୀ କହୁଥିବା ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ । ବହୁ ସଂଗ୍ରାମ ପରେ ୨୦୧୧ ସେପ୍ଟେମ୍ବର ୧ ରେ ଝାଡଖଣ୍ଡ ସରକାର ଅନ୍ୟ ୫ଟି ଆଞ୍ଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ଭାବେ ମାନ୍ୟତା ଦେଇଥିଲେ । ସେହିପରି ରାଞ୍ଚି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ରହିଛି ଏବଂ ସ୍ନାତକ, ସ୍ନାତକତୋର ପାଠ୍ୟକ୍ରମ ରହିଛି । ଏହା ସହ ଝାଡଖଣ୍ଡ ଲୋକସେବା ଆୟୋଗ ଏବଂ ଷ୍ଟାଫ୍ ସିଲେକ୍ସନ କମିଶନରେ ଓଡ଼ିଆକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରାଯାଇଛି ।

ଝାଡଖଣ୍ଡର ସୀମାବର୍ତ୍ତୀ ଜିଲ୍ଲାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅନେକ ଗୁଡ଼ିକ ବିବାଦ ଯୋଗୁଁ ଏହି ସବୁ ସ୍କୁଲ ବନ୍ଦ ହେବାରେ ଲାଗିଛି । ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବା ପରେ ରାଜ୍ୟ ଶିକ୍ଷା ବିଭାଗ ଓଡ଼ିଆ ମାଧ୍ୟମ ସ୍କୁଲ ଗୁଡ଼ିକରେ ହିନ୍ଦି ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଉଅଛି । ଏନସିଇଆରଟି ସର୍କୁଲାର୍ ଫ୍ରେମ୍ ୱାର୍କ ଆଧାରରେ ଓଡ଼ିଆ ପୁସ୍ତକ ପ୍ରକାଶନ କରିବା ପାଇଁ ଝାଡଖଣ୍ଡ ରାଜ୍ୟ ପ୍ରାଧିକରଣକୁ ଏନସିଇଆରଟି କପି ରାଇଟ୍ ଦେଇଛି କିନ୍ତୁ ଏହା ଉପରେ ପଦକ୍ଷେପ ନିଆଯାଇନାହିଁ ।
ଓଡ଼ିଆ ଭାଷା ସମ୍ପ୍ରଦାୟ ବସବାସ କରୁଥିବା ଅଞ୍ଚଳ ଗୁଡ଼ିକରେ ଓଡ଼ିଆ ମାଧ୍ୟମିକ ସ୍କୁଲ ଗୁଡ଼ିକୁ ଝାଡଖଣ୍ଡ ରାଜ୍ୟ ଶିକ୍ଷା ବିଭାଗ ହିନ୍ଦି ମାଧ୍ୟମିକ ସ୍କୁଲକୁ ମିଶାଇ ଦେଉଛନ୍ତି । ଏହା ପଛରେ ଓଡ଼ିଆ ଭାଷା କହୁଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀ କମ୍ ଥିବା ଦର୍ଶାଇ ପଦକ୍ଷେପ ନେଉଥିବା କୁହାଯାଉଛି ।ଏହା ସମ୍ବିଧାନରେ ଉଲ୍ଲେଖ ଥିବା ମେଣ୍ଟେନାନ୍ସ ଏଣ୍ଡ୍ ପ୍ରୋମୋସନ ଅଫ୍ ଲିଙ୍ଗ୍ୟୁଷ୍ଟିକ୍ ଡ଼ାଇଭରସିଟି ଓ ରାଇଟ୍ସ ଅଫ୍ ଲିଙ୍ଗ୍ୟୁଷ୍ଟିକ୍ ମାଇନରିଟି ବିରୋଧରେ ଯାଉଛି । ୨୦୦୬-୦୭ ମସିହାରୁ ଝାରଖଣ୍ଡରେ ଓଡ଼ିଆ ଭାଷା କହୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ପୁସ୍ତକ ପ୍ରଦାନ କରାଯାଉ ନାହିଁ । କେବଳ ପ୍ରଥମ, ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଷା ବିଷୟ ପୁସ୍ତକ ପ୍ରଦାନ କରାଯାଉଛି । ଏହାବ୍ୟତିତ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ପୁସ୍ତକକୁ ଝାଡ଼ଖଣ୍ଡ ଶିକ୍ଷା ପରିଷଦ ଦ୍ୱାରା ଗ୍ରହଣ କରାଯାଇନାହିଁ ଯାହା ପରିଣାମ ଓଡ଼ିଆ ଭାଷା କହୁଥିବା ଛାତ୍ରୀଛାତ୍ରୀମାନେ ହିନ୍ଦି ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି । ଓଡ଼ିଶା ଭାଷାରେ ଗବେଷଣା ଏବଂ ଶିକ୍ଷାରେ ଅଧ୍ୟୟନ କରୁଥିବା ଲିଙ୍ଗ୍ୟୁଷ୍ଟିକ୍ ମାଇନୋରଟି ସ୍କଲାରଙ୍କ ପାଇଁ ବୃତିକୁ ବନ୍ଦ କରି ଦିଆଯାଇଛି ।ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି -୨୦୨୦ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ସୁନିଶ୍ଚିତ କରିବା ଉପରେ ଉଲ୍ଲେଖ ରହିଛି । ନୂତନ ଶିକ୍ଷା ନୀତି -୨୦୨୦ରେ ଥିବା ମୂଲ୍ୟବୋଧ ଏବଂ ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଝାଡଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷା କହୁଥିବା ଜନସଂଖ୍ୟାକୁ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କରିବା ଓ ସହଜ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।ସେହିପରି ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତୀ ଗ୍ରାମ ଗୁଡ଼ିକରେ ଓଡିଆ ଭାଷାଭିତିକ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ପୃଥକ ପତ୍ରରେ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details