ଭୁବନେଶ୍ବର: ‘ସ୍କୁଲ୍ ଇନୋଭେସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ହେଲା ଶୁଭାରମ୍ଭ । ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକମାନଙ୍କ ମାର୍ଗଦର୍ଶନ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ । ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ପ୍ରସ୍ତୁତ କରିବା ପାଇଁ ଆମର ଶିକ୍ଷକମାନଙ୍କୁ ପରିବର୍ତ୍ତନର ପ୍ରତିନିଧି ତଥା ନବସୃଜନର ପ୍ରତୀକ ଭାବେ ଗଢିବା ଆମର ଲକ୍ଷ୍ୟ । ଶୁକ୍ରବାର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହ ମିଳିତ ଭାବରେ ୫୦ ହଜାର ସ୍କୁଲ ଶିକ୍ଷକଙ୍କ ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି ଯେ, ଟେକ୍ନୋଲୋଜି ବିଶ୍ୱକୁ ନୂତନ ରୂପରେ ଅବସ୍ଥାପିତ କରିଛି । ଆମ ଛାତ୍ରଛାତ୍ରୀଙ୍କ ପାଖରେ କେବଳ ଦେଶର ସମସ୍ୟାକୁ ସମାଧାନ କରିବା ନୁହେଁ ବରଂ ବିଶ୍ୱର ସମାଧାନର ସୂତ୍ର ବାହାର କରିବାର କ୍ଷମତା ରହିଛି । ଆଜି ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ ସେଲ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ସିବିଏସଇ ଏବଂ ଏଆଇସିଟିଇ ସହଯୋଗରେ ଶୁଭାରମ୍ଭ ହୋଇଯାଇଥିବା କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନବସୃଜନ କ୍ଷମତା ପ୍ରତି ଜାଗୃତ କରିବ । ନୂତନତ୍ୱର ସଂସ୍କୃତି ବିକାଶ କରିବ ଏବଂ ଏକ ନୂତନ ତଥା ସୁଦୃଢ ଭାରତର ମୂଳଦୁଆ ପକାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି କି ଆଜି ଆମେ ଅମୃତ ଉତ୍ସବ ପାଳନ କରୁଛେ । ଆଗାମୀ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାକୁ ୧୦୦ ବର୍ଷ ପୂରଣ କରିବ । ଆଜିର ୧୫ ବର୍ଷର ପିଲା ସେହି ସମୟରେ ଜୀବନର ସର୍ବଶ୍ରେଷ୍ଠ ସମୟ ଦେଇ ଗତି କରୁଥିବ । ତେଣୁ ଆମକୁ ଏହି ଏକବିଂଶ ଶତାବ୍ଦୀରୁ ହିଁ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ତଥା ସେମାନଙ୍କର ପ୍ରତିଭାକୁ ଅନ୍ୱେଷଣ କରିବା ଦରକାର । ଦେଶରେ କୌଣସି ସମ୍ବଳର ଅଭାବ ନାହିଁ । ପିଲାଙ୍କୁ ଆଗକୁ ବଢ଼ାଇବା ପାଇଁ ସଠିକ୍ ମାର୍ଗଦର୍ଶନ ଏବଂ ସେମାନଙ୍କ ମନରେ ଦେଶ ଏବଂ ବିଶ୍ୱର ସମାଧାନ ପାଇଁ ଥିବା କଳ୍ପନାର ମାର୍ଗ ଦେଖାଇବାର ଆବଶ୍ୟକତା ରହିଛି । ତେବେ ଯାଇ ଦେଶର ପିଲାମାନେ ଦେଶ ଏବଂ ବିଶ୍ୱବାସୀଙ୍କ ସମସ୍ୟାର ସମାଧାନର ସୂତ୍ର ବାହାର କରିପାରିବେ ।
ଦେଶରେ ପ୍ରାଚୀନ କୀର୍ତ୍ତି ଓଡ଼ିଶାର ସୂର୍ଯ୍ୟ ମନ୍ଦିର ମାନବ ସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ । ଯଥାର୍ଥ ସେତେବେଳେ ମଧ୍ୟ କାରିଗରମାନେ ନବସୃଜନ ମାଧ୍ୟମରେ ଏଭଳି ମନ୍ଦିର ନିର୍ମାଣ କରିବାର ଚିନ୍ତା କରୁଥିଲେ । ସେହିପରି ଭାରତରତ୍ନ ଡ. ଏପିଜେ ଅବଦୁଲ କଲାମଙ୍କ ଜିଜ୍ଞାସା ହିଁ ତାଙ୍କୁ ବଡ଼ ଇନୋଭେଟର ବନାଇଥିଲା ତଥା ବାଲିଷ୍ଟିକ୍ ମିସାଇଲ୍ ବା କ୍ଷେପଣାସ୍ତ୍ର ନିର୍ମାଣ ଓ ବିକାଶ କ୍ଷେତ୍ରରେ ତାଙ୍କୁ ଅଗ୍ରଗଣ୍ୟ କରାଇଥିଲା । ସେହିପରି ମହାତ୍ମା ଗାନ୍ଧିଜୀଙ୍କ ମନରେ ସମ୍ବେଦନଶୀଳ ନଥିଲେ ସେ ଦକ୍ଷିଣ ଆଫ୍ରିକା ଛାଡ଼ି ଭାରତକୁ ଲଢ଼ିବାକୁ ଆସିନଥାନ୍ତେ । ଗାନ୍ଧିଜୀ ମଧ୍ୟ ସମସ୍ୟାର ସମାଧାନ କରିବା ପାଇଁ ପରୀକ୍ଷଣ ଅଥବା ନୂଆ ଚିନ୍ତା କରିଥିଲେ । ସେହିପରି ଆଜିର ଆମ୍ବୋସେଡ଼ର ଟ୍ରେନିଂ ଦେଶର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ବିଶ୍ୱର ସମସ୍ୟାର ଉତ୍ତର ମଧ୍ୟ ବାହାର କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।