ଭୁବନେଶ୍ବର:ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ୍ କାର୍ଯ୍ୟକ୍ରମକୁ ନେଇ ଟ୍ବିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସାକ୍ଷାତରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଦ୍ବାରା ସୀମା, ଭାଷା ଏବଂ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ଵିଟ୍ କରିଛନ୍ତି ଯେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଥିବା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଲେ । ଏହି ବୈଠକରେ ସୀମା, ଭାଷା ଓ ଜଳ ବିବାଦ ସହ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ । ସେ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ଵପୂର୍ଣ୍ଣ । ଗତ ସେପ୍ଟେମ୍ବର ୨୨ରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୀମା ବିବାଦ ଏବଂ ଗତ ଅକ୍ଟୋବର ୧ ତାରିଖରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପତ୍ର ଲେଖିଥିଲେ ।
ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୀମା ବିବାଦ ବିଷୟରେ ଅବଗତ କରାଇଥିଲେ । ଗଣତନ୍ତ୍ରରେ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ଅନେକ ବିବାଦର ସମାଧାନ ହୋଇପାରିଛି । ଦୁଇ ରାଜ୍ୟ ମଧ୍ୟରେ ସର୍ବୋଚ୍ଚ ରାଜନୈତିକ ସ୍ତରରେ ହେଉଥିବା ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା କରିଛନ୍ତି । ସୂଚନା ଥାଉ କି ଗତ ସେପ୍ଟେମ୍ବର ୨୨ ତାରିଖରେ ଏବଂ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ ।