ଭୁବନେଶ୍ବର: ଧାମନଗର ଉପ ନିର୍ବାଚନ ( Dhamnagar By-Poll) ରେ ଜିତିବା ପାଇଁ ତିନି ପ୍ରମୁଖ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ରଣନୀତି କଣ ରହିବ ? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ ରାଜନେତା ଦାମୋଦର ରାଉତ ଧାମନଗର ଉପନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଦାମ କହିଛନ୍ତି, ଉପ-ନିର୍ବାଚନରେ ଲୋକେ ସେହି ପ୍ରାର୍ଥୀଙ୍କୁ ଭୋଟ ଦେବେ ଯିଏ ସେମାନଙ୍କ କଥା ବୁଝିବ, ସମସ୍ୟାର ସମାଧାନ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଯେପରି କାମ କରିଚାଲିଛି, ତାକୁ ଦେଖିଲେ, ଅବନ୍ତୀ ଦାସ ହିଁ ଧାମନଗରରୁ ଜିତିବା ନିଶ୍ଚିତ ।
ବିଦ୍ରୋହୀ ବିଜେଡି ନେତା ତଥା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ ବ୍ୟାଙ୍କ ଭଲ ରହିଥିବାରୁ ଏବଂ ସେ ବିଜେଡିର ଜଣେ ଭଲ ସଂଗଠକ ହୋଇଥିବାରୁ ବିଜେଡି ଭୋଟ ବ୍ୟାଙ୍କ ଭାଗ ଭାଗ ହେବାର ଆଶଙ୍କା ରହିଛି । ତା ସତ୍ବେ ମଧ୍ୟ ବିଜେଡି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦାମୋଦର ରାଉତ । ଦାମଙ୍କ କହିବା କଥା ଉପନିର୍ବାଚନରେ ସରକାରୀ ଦଳ ହାରିବାର ନଜିର ନାହିଁ । ଏହାର ଏକ ମାତ୍ର କାରଣ ଏହି ଉପ-ନିର୍ବାଚନରେ ଜିତିବା କିମ୍ବା ହାରିବା ଦ୍ବାରା ସରକାର ଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ଯିଏ ସାମୁହିକ ଭାବେ ଲୋକଙ୍କ କଥା ବୁଝିବ ଲୋକେ ତାକୁ ହିଁ ଭୋଟ ଦେବେ । ବିଜେଡି ନେତୃତ୍ବାଧୀନ ସରକାରରେ ଲୋକଙ୍କ କଥା କେବଳ ସରକାରୀ ଦଳ ହିଁ ବୁଝିପାରିବ । ତେଣୁ ଭୋଟ ଭାଗ ଭାଗ ହେଲେ ମଧ୍ୟ ବିଜେଡି ସପକ୍ଷରେ ଆସିବ ଜନ ସମର୍ଥନ ।