ଭୁବନେଶ୍ବର: କଅଁଳ ବୟସରୁ ଘରୁ ପଳାଉଛନ୍ତି ଅନେକ ପିଲା । କେତେବେଳେ ପ୍ରେମରେ ପଡି ସ୍କୁଲରେ ସାଙ୍ଗ ସହ ତ କେତେବେଳେ କଲେଜ ସାଙ୍ଗ ସହ ହେଉଛନ୍ତି ଫେରାର। ଏପରିକି ଉପଯୁକ୍ତ ବିବାହ ବୟସ ହୋଇନଥିଲେ ମଧ୍ୟ ବୟସଠୁ ବଡ ପିଲାଙ୍କ ସହ ଘରୁ ପଳାଉଛନ୍ତି ଅନେକ ପୁଅ ଓ ଝିଅ। ଯାହାକି ଅନେକ ସମୟରେ ପରିବାର ଲୋକଙ୍କ ପାଇଁ ଖୋଜିବା ସହଜ ହୋଇନଥାଏ । ଖୋଜି ଖୋଜି ନୟାନ୍ତ ହେବାପରେ ସେମାନେ ପୋଲିସରେ ଅଭିଯୋଗ ମଧ୍ୟ କରିଥାନ୍ତି ।
ନାବାଳକ ପ୍ରେମୀଯୁଗଳଙ୍କୁ ଖୋଜିଆଣିବାକୁ DCP ଅଫିସରେ ଖୋଲିଲା ସ୍ବତନ୍ତ୍ର ସେଲ୍ - ପ୍ରାରମ୍ଭ ଅନେକ ମାମଲାରେ ଦେଖାଯାଏ ନାବାଳକ ବା ନାବାଳିକା ଥିବାରୁ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥାଏ ହେଲେ ପରେ ପ୍ରେମ ଜନିତ ବ୍ୟାପାର ବୋଲି ଜଣାପଡେ। ଏଭଳି ଅଭିଯୋଗକୁ ଗୁରୁତର ସହ ସମାଧାନ ପାଇଁ ଭୁବନେଶ୍ବର ଡିସିପି ଅଫିସରେ ଖୋଲିଛି ଏକ ସ୍ବତନ୍ତ୍ର ସେଲ୍ । ଯାହାର ନାମ ରହିଛି ''ପ୍ରାରମ୍ଭ'' । ଯାହାକି କିସ୍(KISS) ଓ ଏସ ଏନ ଗ୍ରୁପର ସହଭାଗିତାରେ କାର୍ଯ୍ୟ କରୁଛି ।
ଗତ ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହି ସେଲ୍ “ପ୍ରାରମ୍ଭ” ସହାୟତାରେ ମୋଟ ୨୪୩ଜଣ ପୀଡିତାଙ୍କୁ ଉଦ୍ଧାର କରିଥିବାବେଳେ, ୧୯୮ଟି ମାମଲାର ସମାଧାନ କରିଛନ୍ତି। ଯାହାର ସମ୍ପର୍କରେ ଏହି ସେଲ୍ ପରିଦର୍ଶନ ବେଳେ ପ୍ରଶଂସା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏହି ସେଲ୍ ସମ୍ପର୍କରେ ବିଭିନ୍ନ କଲେଜ ଓ ସ୍କୁଲରେ ଏହାର ସଚେତନତା କରାଯାଇଥିଲା ।
ତେବେ ଅଭିଯୋଗକାରୀ ତଥା ଅପହରଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଭୁବନେଶ୍ବର ଡିସିପି ଅଫିସ ପକ୍ଷରୁ ପ୍ରାରମ୍ଭ ହେଲ୍ପଲାଇନ ନମ୍ବର ୦୬୭୪- ୨୫୪୫୪୪୫ ଜାରି କରାଯାଇଛି। ନାବାଳକ, ନାବାଳିକା କିମ୍ବା ବୟସ୍କ ବ୍ୟକ୍ତି ପ୍ରମୁଖ, ଯେଉଁମାନେ ଅପହରଣ ହୋଇଛନ୍ତି କିମ୍ବା ନିଖୋଜ ହୋଇଯାଇଛନ୍ତି, ସେମାନଙ୍କୁ ସେମାନଙ୍କର ପରିବାରବର୍ଗଙ୍କ ପାଖକୁ ଫେରାଇ ଆଣିବା ଏବଂ ଏପରି ପରିସ୍ଥିତିକୁ ନିରାକରଣ କରିବା ଏହି ପ୍ରାରମ୍ଭର ମୁଖ୍ୟ ଉଦେଶ୍ୟ । ଯାହାକି ଲୋକେ ସଚେତନ ହୋଇ ଥାନା ସ୍ତରରେ ନ ଶୁଣିଲେ ଏଠାରେ ଅଭିଯୋଗ କରିପାରିବେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ