ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଭିକେ ପାଣ୍ଡିଆନ ଗୋପବନ୍ଧୁଙ୍କ ସଠି ଘରକୁ ଯାଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ଗୋପବନ୍ଧୁଙ୍କ ଦାୟାଦ ମାନଙ୍କୁ ଭେଟି ସେ ସ୍ମୁତି ପୀଠ ବିଷୟରେ ଆଲୋଚନା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।
ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ପୁନଃରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମର ନିର୍ମାଣ କାର୍ଯ୍ୟକୁ 5ଟି ସଚିବ ବୁଲି ଦେଖିଛନ୍ତି । ଦୁଇରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଂ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ସେ ବୁଲି ଦେଖିଛନ୍ତି । ଏହା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି । ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।