ଭୁବନେଶ୍ବର: ବିଧାନସଭାରେ ଆଜି ଉଠିଛି ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିଧାୟକ । ଏହା ସହ ପୂର୍ବତନ ବିଧାୟକ ମାନଙ୍କର ପେନସନ ରାଶି ବୃଦ୍ଧି କରିବାକୁ ଦାବି କରାଯାଇଛି । ଦାବିକୁ ଶାସକ ଓ ବିରୋଧୀ ବିଧାୟକ ସମସ୍ତେ ସମର୍ଥନ କରିଛନ୍ତି । ବିଧାୟକଙ୍କ ଦରମା ବୃଦ୍ଧି ନେଇ ସୁବିଚାର କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ବଢୁ ବିଧାୟକମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ପ୍ରସଙ୍ଗ ଉଠାଇ ମୋହନ କହିଛନ୍ତି ଯେ, ଶେଷ ଥର ପାଇଁ 2017 ସେପ୍ଟେମ୍ବର 13 ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ହୋଇଥିଲା । ଗତ 5 ବର୍ଷ ମଧ୍ୟରେ ଦରଦାମ ବୃଦ୍ଧି ହୋଇଛି । ପେଟ୍ରୋଲ, ଡିଜେଲ ବଢିଛି । ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢିଛି। ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ସେ ଦାବି କରିଛନ୍ତି । ଅନ୍ୟ ରାଜ୍ୟର ବିଧାୟକମାନେ 2 ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ 99 ହଜାର 800 ଟଙ୍କା ରହିଛି । ତେଣୁ ଏହାକୁ ବଢାଇବାକୁ ସେ ଦାବି କରିଛନ୍ତି । ମୋହନଙ୍କ ଦାବିକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ମଧ୍ୟ ଦରମା ବଢ଼ାଇକୁ ଦାବି କରିଛନ୍ତି । ତାରା କହିଛନ୍ତି ଯେ, ସମସ୍ତ ବିଧାୟକ ଅନେକ ସାମାଜିକ କାର୍ଯ୍ୟକ୍ରମକୁ ଯାଉଛନ୍ତି । ଜନ୍ମଦିନ, ବ୍ରତଘର, ବାହାଘର, ବାର୍ଷିକ ଉତ୍ସବରେ ସାମିଲ ହେଉଛନ୍ତି । ଅନ୍ୟାନ୍ୟ ସମସ୍ୟାରୁ ଲୋକ ବିଧାୟକଙ୍କ ଦ୍ୱାରସ୍ଥ ହେଉଛନ୍ତି । ତେଣୁ ବିଧାୟକଙ୍କ ଖର୍ଚ୍ଚ ବଢୁଛି । ଏହା ସହ ପୂର୍ବତନ ବିଧାୟକମାନେ 30 ହଜାର ଟଙ୍କା ପେନସନ ପାଉଛନ୍ତି । ଯାହା ତାଙ୍କ ସାଧାରଣ ଖର୍ଚ୍ଚ ଠାରୁ କମ ରହିଛି । ସାଧାରଣ ଲୋକଙ୍କ ପରି ବିଧାୟକ, ପୂର୍ବତନ ବିଧାୟକ, ସ୍ବର୍ଗତ ପୂର୍ବତନ ବିଧାୟକଙ୍କ ପତ୍ନୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ସମ୍ପୂର୍ଣ୍ଣ ସୁବିଧା ପାଉନାହାନ୍ତି । ଏଥିରେ ସେମାନଙ୍କୁ ସାମିଲ କରିବା ଲାଗି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି ସୁର ।
ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ ବଢ଼ାଯାଉ । ବିଧାୟକଙ୍କର ଆବଶ୍ୟକତା ବଢୁଛି । ତେଣୁ ଦରମା ବଢିବାର ଯଥାର୍ଥତା ରହିଛି । ବିଧାୟକଙ୍କ ଦାବିକୁ ଗୁରୁତର ସହ ନେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଧାୟକଙ୍କ ଦରମା ବୃଦ୍ଧି ନେଇ ସୁବିଚାର କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ।
ଇଟିଭି ଭାରତ, ଭୁବନେଶ୍ବର