ଓଡିଶା

odisha

By

Published : Feb 9, 2020, 8:27 PM IST

ETV Bharat / city

ବଢ଼ୁଛି ଆଞ୍ଚଳିକ ଦଳର ଦବଦବା, ପୁଣି ପ୍ରମାଣିତ କଲା ଦିଲ୍ଲୀ!

ଫେବୃୟାରୀ 11ରେ ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ । ତା ପୂର୍ବରୁ ଆସିଥିବା ଏକଜିଟ ପୋଲକୁ ନେଇ ଏବେ ସାରା ଦେଶରେ ବଢିଲା ଚର୍ଚ୍ଚା। କାହିଁକି ଆଞ୍ଚଳିକ ଦଳ ହେଉଛନ୍ତି ଶକ୍ତିଶାଳୀ । ଏନେଇ କଣ କହୁଛନ୍ତି ରାଜ୍ୟ ନେତା ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

regional party
regional party

ଭୁବନେଶ୍ବର: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ପାଇଁ ମତଦାନ । 11 ଫେବୃୟାରୀରେ ଆସିବ ଫଳ । ଦିଲ୍ଲୀ ଜନତା କାହାକୁ ବାଛିଛନ୍ତି ନିଜର ଭାଗ୍ୟ ଭବିଷ୍ୟତ ପାଇଁ 11ରେ ସ୍ପଷ୍ଟ ହେବ । ତେବେ ଏକଜାଟ ଫଳ ଆସିବା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ତରଫରୁ କରାଯାଇଥିବା ଏକଜିଟ ପୋଲର ଫଳ ଆସିଛି । ଯେଉଁଥିରେ କ୍ଷମତାସୀନ ଆପ ଲଗାତାର କ୍ଷମତା ବଜାୟ ରଖୁଥିବା ସ୍ପଷ୍ଟ ହୋଇଛି । ଦିଲ୍ଲୀର ଏକଜିଟ ପୋଲକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇପଡିଛି ।

ବଢ଼ୁଛି ଆଞ୍ଚଳିକ ଦଳର ଦବଦବା, ପୁଣି ପ୍ରମାଣିତ କଳା ଦିଲ୍ଲୀ


ଦିଲ୍ଲୀ ଏକଜିଟ ପୋଲକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳରେ ମଧ୍ୟ ଆରମ୍ଭ ହୋଇଛି ହିସାବ କିତାବ । ଏସଂପର୍କରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେଉଁ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି, ସେହି ରାଜ୍ୟ ଗୁଡିକରେ ଭାରତୀୟ ଜନତା ପାର୍ଟି ମଧ୍ୟ ଦୀର୍ଘଦିନ ଧରି ଶାସନ କରିଛି । କୌଣସି ନା କୌଣସି କାରଣରୁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କେବେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି କେବେ ଆମକୁ । ଏହା ନିର୍ବାଚନ ଜନମତ ପ୍ରକ୍ରିୟା । ତେବେ ଭାରତୀୟ ଜନତା ପାର୍ଟି ସବୁବେଳେ ବିକାଶର ରାଜନୀତି କରୁଛି । ତେବେ ଦିଲ୍ଲୀ ସଂପର୍କରେ ସେ ଭୋଟ ଗଣନା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ବିଜେପି ଯେଉଁଭଳି ନକରାତ୍ମକ ରାଜନୀତି ଦେଶରେ କରୁଛି, ଲୋକେ ସେଥିପାଇଁ ବିଜେପିକୁ ପ୍ରତ୍ୟାଖାନ କରିବାରେ ଲାଗିଛନ୍ତି । ବିକଳ୍ପ ଭାବେ କଂଗ୍ରେସ ହେଉ ବା ଦିଲ୍ଲୀରେ ଆପ ଭଳି ଅନ୍ୟ ଆଞ୍ଚଳିକ ଦଳକୁ ଗ୍ରହଣ କରୁଛନ୍ତି ।


ଅନ୍ୟପଟେ ବିଜୁ ଜନତା ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଆଞ୍ଚଳିକ ଦଳ ଦେଶରେ କାହିଁକି ସୃଷ୍ଟି ହେଉଛି କାହିଁକି ଶକ୍ତିଶାଳୀ ହେଉଛି ଏହି ପ୍ରଶ୍ନ ଦୀର୍ଘଦିନ ହେଲା ରହିଆସିଛି । କାରଣ ଦର୍ଶାଇ ପ୍ରତାପ କହିଛନ୍ତି ଦେଶରେ କଂଗ୍ରେସ, ବିଜେପି ଅବା କମ୍ୟୁନିଷ୍ଟ ପାର୍ଟି ଯେଉଁ ମାନେ କେନ୍ଦ୍ରରେ ଶାସନ କରୁଛନ୍ତି ବା ବିଭିନ୍ନ ପ୍ରଦେଶରେ ତାଙ୍କର ସରକାର ରହିଛି ସେମାନେ ନିର୍ବାଚନ ବେଳେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରନ୍ତି ନାହିଁ । ଲୋକଙ୍କ ସମସ୍ୟାକୁ ଠିକ ଭାବେ ବୁଝିବାକୁ ଉଦ୍ୟମ କରନ୍ତି ନାହିଁ । ସେହି ଦଳ ଗୁଡିକୁ ଜନତା ପ୍ରତ୍ୟାଖାନ କରନ୍ତି ଓ ଦେଶରେ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି ।


ରାଜ୍ୟ ଆମ ଆଦମୀ ପାର୍ଟି ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି ଦେଶରେ ଜନତା ସବୁବେଳେ ବିକାଶ ଚାହାଁନ୍ତି । ସେମାନଙ୍କର ବିକାଶ ଯେଉଁଦଳ କରେ ସେମାନେ ସେହି ଦଳକୁ ଗ୍ରହଣ କରନ୍ତି । ଦିଲ୍ଲୀରେ ମଧ୍ୟ ଲୋକେ ଆମ ଆଦମୀ ପାର୍ଟିର ବିକାଶ ଏଜେଣ୍ଡାକୁ ଗ୍ରହଣ କରିଛନ୍ତି । ଦିଲ୍ଲୀବାସୀଙ୍କ ସମସ୍ତ ଆଶା ଆଙ୍କାକ୍ଷା ପୂରଣ କରିବାରେ ସଫଳ ହୋଇଛି ଆପ । ସେହି ଦୃଷ୍ଟିରୁ ବିଜେପି କଂଗ୍ରେସ ର ମିଛ ପ୍ରଲୋଭନରେ ଲୋକେ ନପଡି ଆପକୁ ଗ୍ରହଣ କରିଛନ୍ତି । ଆପ ପୁନର୍ବାର କ୍ଷମତାକୁ ଫେରିବ ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details