ଭୁବନେଶ୍ବର:ସନ୍ଧ୍ୟା ୭ ଟା ରୁ ୮ ଟା ଭିତରେ ଦୀଘା ପାଖରେ ସ୍ଥଳ ଭାଗ ଛୁଇଁଛି ତୀବ୍ର ଅବପାତ (Deep depression over Bay of Bengal crosses coast) । ଏହି ତୀବ୍ର ଅବପାତ ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ପଶ୍ଚିମବଙ୍ଗରୁ ମୟୂରଭଞ୍ଜ-କେନ୍ଦୁଝର ମଧ୍ୟ ଅଞ୍ଚଳ ଦେଇ ସୁନ୍ଦରଗଡରୁ ରାଜ୍ୟ ବାହାରକୁ ଚାଲିଯିବ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।
SRC କହିଛନ୍ତି ଯେ, "ଉତ୍ତର ବାଲେଶ୍ଵର ଜିଲ୍ଲାରେ ୨୫-୩୦ କିମି ବେଗରେ ପବନ ବହୁଛି । ଏଠାରେ ପବନର ବେଗ ଆହୁରି ଅଧିକ ହେଇପାରେ । ଗତ ୨ ଘଣ୍ଟା ଧରି ବାଲେଶ୍ଵର ଓ ଉତ୍ତର ବାଲେଶ୍ବରରେ ବର୍ଷା ହେଇଛି । ଏବେ ସୁଦ୍ଧା ବାଲେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି । ମୟୂରଭଞ୍ଜରେ ବର୍ଷା ଆରମ୍ଭ ହେଇଛି । ଆଗାମୀ ୬ରୁ ୮ ଘଣ୍ଟା ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବ । ବାଲେଶ୍ଵର, ମୟୁରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାଲେଶ୍ଵର ସହରରୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତୀବ୍ର ଅବପାତ ରାଜ୍ୟ ବାହାରକୁ ନଯିବା ପର୍ଯ୍ୟନ୍ତ ଏହାର ପ୍ରଭାବ ଲାଗି ରହିବ ।