ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା 'ଅସାନି'ର ରୂପ ନେଲା ଗଭୀର ଅବପାତ । ଆଜି(ରବିବାର) ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ଏହା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୬୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୯୦୦ କିଲୋମିଟର ଦୂରରେ ରହିଛି ।
୧୦ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି । ସ୍ଥଳଭାଗ ନ ଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା । ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।