ଭୁବନେଶ୍ବର: କ୍ଷମତା ଲୋଭରେ ଅନ୍ଧ । ରାଜନୀତିରେ ପତିଆରା । ନିୟମ କାନୁନର ଧଜିଆ ଉଡାଇ ନେଇଗଲେ ଜଣଙ୍କ ଜୀବନ । ଆମେ କହୁଛୁ ପିପିଲିର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କଥା । ଅଜିତଙ୍କ ଦେହାନ୍ତ ଏକ ସାଧାରଣ ମୃତ୍ୟୁ ନୁହେଁ । ଏହା ହେଉଛି କ୍ଷମତାଶୀଳ ଗୋଷ୍ଠୀଙ୍କ ହାତରେ ବନ୍ଧା ପଡିଥିବା ଆମ ବ୍ୟବସ୍ଥାର ମୃତ୍ୟୁ । କୁହାଯାଏ ଆଇନ ଅନ୍ଧ । କିନ୍ତୁ ପିପିଲିରେ ଆଇନ କେବଳ ଅନ୍ଧ ନଥିଲା, ମୁକ ଓ ବଧିର ମଧ୍ୟ ଥିଲା । କ୍ଷମତା ଲୋଭୀ ନେତା କିଭଳି ସାଧାରଣ ଲୋକଙ୍କ ଜୀବନ ସହ ଖେଳିନ୍ତି, ତାହାର ଏକ ନଗ୍ନ ନମୁନା ହେଉଛି ପିପିଲି ଉପନିର୍ବାଚନ ପ୍ରଚାର ।
ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଡାକଡି କରାଯାଇଛି କଟକଣା । ସାଧାରଣ ଲୋକକୁ ସଚେତନ ଲାଗି କରାଯାଉଛି ବ୍ୟବସ୍ଥା । ସେପଟେ ଚାଲିଛି ମାସ୍କ ବଣ୍ଟନ ଉତ୍ସବ । ଅମାନିଆଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଆଦାୟ କରାଯାଉଛି ଫାଇନ । କୋରନାକୁ ବ୍ରେକ ଲଗାଇବା ଲାଗି ଚାଲିଛି ଟୀକାକାରଣ ଉତ୍ସବ । କିନ୍ତୁ ଟୀକା ଅଭାବରୁ ବନ୍ଦ ହେଉଛି ଗୋଟେ ପରେ ଗୋଟେ କେନ୍ଦ୍ର । ଟୀକା ପଠାଇବା ନେଇ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଉପରେ ବର୍ଷୁଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ଉପରେ ଦୋଷ ଠେଲୁଛନ୍ତି ।ଘର ବାହାରେ, ବଜାର ଘାଟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ପୋଲିସର ଚାଲିଛି କଡା ଚେକିଂ । କୋରନା ବିଭୀଷିକା ରୋକିବା ଲାଗି ଏହା ନିତ୍ୟାନ୍ତ ଆବଶ୍ୟକ । ହେଲେ ଆଇନ ଦୁଇ ବର୍ଗଙ୍କ ଲାଗି ଅଲଗା ଅଲଗା । ଏହା ପିପିଲି ଉପନିର୍ବାଚନ ପ୍ରଚାର ପ୍ରମାଣିତ କରିଛି । ଆଇନ ତିଆରି କରୁଥିବା ଲୋକ ସାଧାରଣରେ କିପରି ଆଇନ ଭାଙ୍ଗନ୍ତି । ଆଉ ତାଙ୍କୁ ଆମ ବ୍ୟବସ୍ଥା କିପରି ସୁରକ୍ଷା ଯୋଗାଏ ତାହା ପ୍ରମାଣ କରିଛି ପିପିଲି ।ପିପିଲିରେ ଆଇନ କାନୁନ ନାହିଁ ବୋଲି ବିଭିନ୍ନ ରାଜନୈତିକ ଦଳ କ୍ୟାମ୍ପେନ କରୁଥିଲେ । ପ୍ରକୃତରେ ପିପିଲିରେ ଆଇନ ଶୃଙ୍ଖଳା କିଭଳି ପରିଚାଳିତ ହେଉଥିଲା ତାହା ନିର୍ବାଚନ ପ୍ରଚାରରୁ ଜଣାପଡୁଥିଲା । ଜଣାପଡ଼ୁଥିଲା ପିପିଲିରେ ପୋଲିସ ନଥିଲେ । ଅବା ପ୍ରଶାସନ ସାମୂହିକ ଛୁଟିରେ ଯାଇଥିଲେ । କୋରନା ଲାଗି ସାରା ରାଜ୍ୟରେ କଟକଣା ଲାଗିଥିଲା । ଏମିତି କି ପଶ୍ଚିମ ଓଡ଼ିଶାର 10 ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସମ୍ୟକ କଟକଣା ଲାଗିଛି ।