ଭୁବନେଶ୍ବର:ମରିଗଲା ମାନବିକତା । ଶବ ବ୍ୟବଛେଦ ଗୃହରୁ ବାପାଠାରୁ ପୁଅ ମୃତଦେହ ଲୁଚାଇ ନେଉଥିଲା ଡାକ୍ତରଖାନା ପ୍ରଶାସନ । ମୃତଦେହ ଲୁଚାଇ ନେଇଯାଉଥିବା ବେଳେ ଡାକ୍ତରଖାନାରେ ଚାପା ଉତ୍ତେଜନା ଦେଖାଦେଇଛି । ରବିବାର ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଟିଉସନରୁ ଫେରିବା ବେଳେ ଏକ ଖୋଲା ଡ୍ରେନରେ ଭାସିଯାଇଥିଲେ । ଲଗାତାର ୧୮ ଘଣ୍ଟାର ଅକ୍ଲାନ୍ତ ଅପରେସନ ପରେ ଆଜି (ସୋମବାର) ଜ୍ୟୋତିଙ୍କ ମୃତଦେହକୁ ପଞ୍ଚଶଖାନଗର ନିକଟରୁ ଉଦ୍ଧାର କରାଯାଇଛି ।
ଏହାପରେ ମୃତଦେହର ବ୍ୟବଚ୍ଛେଦ ପାଇଁ ଏମ୍ସକୁ ଅଣାଯାଇଥିଲା । ତେବେ ଜ୍ୟୋତିଙ୍କ ବାପାଙ୍କ ଅଜାଣତରେ ବ୍ୟବଛେଦ ଗୃହରୁ ଜ୍ୟୋତିଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଲୁଚାଇ ନିଆଯାଉଥିଲା । ଏହା ଜାଣିପାରି ସେଠାରେ ଉପସ୍ଥିତ ଲୋକେ ଆମ୍ବୁଲାନ୍ସକୁ ଅଟକାଇଥିଲେ । ଏହାପରେ ଏମ୍ସ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । କାହିଁକି ପ୍ରଶାସନ ମୃତଦେହ ଲୁଚାଇ ନେଉଛନ୍ତି ସେନେଇ କିଛି ଜାଣି ନଥିବା କଥା କହିଛନ୍ତି ଜ୍ୟୋତିଙ୍କ ବାପା ।
ଜ୍ୟୋତିପ୍ରକାଶ ଙ୍କ ପିତା କହିଛନ୍ତି ଯେ, "ମୁଁ ତା ବାପା । କାହିଁକି ମୋ ପୁଅର ମୃତଦେହକୁ ଲୁଚେଇ ନେଉଛନ୍ତି ଓ କେଉଁଠିକୁ ନେଉଛନ୍ତି ତାହା ମୁଁ ଜାଣିନାହିଁ । ଆମର କିଏ ଅନ୍ୟାୟ କରିନାହାନ୍ତି ଆମେ କାହାକୁ କଣ କହିବୁ ।"