ଫୁଲବାଣୀ: ଆଜି(ବୁଧବାର) ଚଳଚଞ୍ଚଳ ହେବ କନ୍ଧମାଳ ସହର । ଉଦ୍ଘାଟନ ହେବ ଦାରିଙ୍ଗବାଡିର ‘ଇକୋ ରିଟ୍ରିଟ’( Eco Retreat) । ବହୁ ପ୍ରତିକ୍ଷିତ ଓଡ଼ିଶାରର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ ଇକୋ ରିଟ୍ରିଟ । ଏହାକୁ ନେଇ ଲୋକଙ୍କ ମନରେ ଖେଳି ଯାଇଛି ଖୁସିର ଲହରୀ । ପରିବେଶ ଭିତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟରେ ଆଜିଠାରୁ ‘ଇକୋ ରିଟ୍ରିଟ’ ( Eco Retreat)ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ।
ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷଠାରୁ ଦାରିଙ୍ଗବାଡିଠାରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ । ତେବେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପର୍ଯ୍ୟଟନ ବିଭାଗର ଏହା ଏକ ନିଆରା ପ୍ରୟାସ। ଏବେ ଥଣ୍ଡା ବଢିଥିବାରୁ ଏଠାକୁ ରାଜ୍ୟ ଓ ଦେଶ ବିଦେଶରୁ ଆସୁଥବା ପର୍ଯ୍ୟଟକମାନଙ୍କ ଲାଗି, ରହିବା ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଫଳରେ ପର୍ଯ୍ୟଟକ ଏଠାରେ ରହି ଥଣ୍ଡାର ମଜା ନେଇପାରିବେ ।