ଭୁବନେଶ୍ବର: କିସ୍ରୁ ମାଟ୍ରିକ୍ ପାସ କଲେ ଦାନ ମାଝୀଙ୍କ ଝିଅ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲର ୬୨୯ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।
ରାଜ୍ୟ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସର ପାସ୍ ହାର ଶତ ପ୍ରତିଶତ ହୋଇଛି । ଚଳିତ ବର୍ଷ କିସ୍ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଗଜପତି ଜିଲ୍ଲା ସଉରା ସମ୍ପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି କିସ୍ ଟପର ହୋଇଛନ୍ତି ।
ଚଳିତ ବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି ।
ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ ରହି ପାଠ ପଢୁଛନ୍ତି । ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଆଁର ଦାନ ନିଜ ପତ୍ନୀଙ୍କ ମୃତଦେହକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା ।