ଓଡିଶା

odisha

ETV Bharat / city

ପାରାଦ୍ବୀପଠାରୁ 360କିମି ଦୂରରେ ବାତ୍ୟା ୟସ୍‌, ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ - ୟସ୍‌ ଅପଡେଟ

ଆଜି(ମଙ୍ଗଳବାର) ସକାଳ ସୁଦ୍ଧା ବାତ୍ୟା ୟସ୍‌ ପାରାଦ୍ବୀପଠାରୁ 360କିଲୋମିଟର ଦୂରରେ ରହିଥିବା ବେଳେ 12 ଘଣ୍ଟା ମଧ୍ୟରେ ଏହାର ପ୍ରକୋପ ଆରମ୍ଭ ହେବ । ଅଧିକ ପଢନ୍ତୁ...

ପାରାଦ୍ବୀପଠାରୁ 360କିମି ଦୂରରେ ୟସ୍‌, ଆଜିଠୁ ଆରମ୍ଭ ହେବ ପ୍ରକୋପ
ପାରାଦ୍ବୀପଠାରୁ 360କିମି ଦୂରରେ ୟସ୍‌, ଆଜିଠୁ ଆରମ୍ଭ ହେବ ପ୍ରକୋପ

By

Published : May 25, 2021, 8:04 AM IST

Updated : May 25, 2021, 8:18 AM IST

ଭୁବନେଶ୍ବର: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ୟାସ୍‌ । ସୋମବାର ସନ୍ଧ୍ୟା ସୁଦ୍ଧା ଏହା ତୀବ୍ର ବାତ୍ୟାର ରୂପ ନେଇସାରିଥିବା ବେଳେ ଆଜି(ମଙ୍ଗଳବାର)ଠୁ ପ୍ରଭାବିତ ଅଞ୍ଚଳରେ ଆରମ୍ଭ ହୋଇଯିବ ଏହାର ପ୍ରକୋପ । ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାତ୍ୟା ୟାସ ଏବେ ସୁଦ୍ଧା ଘଣ୍ଟାପ୍ରତି 5 କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦ୍ବୀପଠାରୁ 360କିମି ଦୂରରେ ରହିଥିବା ବେଳେ ବାଲେଶ୍ବରଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାର୍ଶ୍ବରୁ 460କିଲୋମିଟର ଦୂରରେ ଓ ଦୀଘାଠାରୁ 480 କିଲୋମିଟର ଦୂରରେ ରହିଥିବା ଜଣାପଡିଛି । ଏହା ବାଲେଶ୍ବର ଓ ଭଦ୍ରକ ମଝିରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଉଛି । ତେବେ ପୂର୍ବରୁ ଏହା ପାରାଦ୍ବୀପ ଓ ପଶ୍ଚିମବଙ୍ଗର ସାଗରଦ୍ବୀପଠାରେ ଲ୍ୟାଣ୍ଡଫଲ କରିବ ବୋଲି ଆଶଙ୍କା କରାଯାଉଥିଲା । ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି 155ରୁ 165 କିଲୋମିଟର ରହିଥିବା ବେଳେ ସର୍ବାଧିକ 185 କିଲୋମିଟର ରହିବ । 26 ତାରିଖ ପୂର୍ଣ୍ଣିମା ଥିବାରୁ 4ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ୟାସ ଭୀଷଣ ରୂପ ଧାରଣ କରି ଉପକୂଳ ଅଞ୍ଚଳର ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଆଦି ଅଞ୍ଚଳରେ ଅଧିକ କ୍ଷୟକ୍ଷତି କରିପାରେ । ତେବେ ମୟୂରଭଞ୍ଜରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ ଡ଼ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେପଟେ ସୋମବାର ମଧ୍ୟାହ୍ନଠାରୁ ରାଜ୍ୟରେ ଅଧିକ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ତେବେ ମଙ୍ଗଳବାର 12 ଘଣ୍ଟା ମଧ୍ୟରେ ଏହା ଭୀଷଣ ରୂପ ଧାରଣ କରିବ ବୋଲି ଜଣାପଡିଛି । 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ତାଣ୍ଡବ ରଚିବାକୁ ଥିବା ବଳେ ସମସ୍ତଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାରଠାରୁ ଧୀରେ ଧୀରେ ପବନର ବେଗ ବଢିବା ସହିତ ବାତ୍ୟାର ପ୍ରକୋପ ଆରମ୍ଭ ହେବ । 26 ତାରିଖ ମଧ୍ୟାହ୍ନ ସୁଦ୍ଧା ବାତ୍ୟା ବାଲେଶ୍ବର ନିକଟରେ ସ୍ଥଳଭାଗ ଛୁଇଁବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 25, 2021, 8:18 AM IST

ABOUT THE AUTHOR

...view details