ଭଦ୍ରକ:ବାତ୍ୟା ଜୱାଦ ବିପତ୍ତି ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ସେନେଇ ରାଜ୍ୟ ସରକାର ମଧ୍ୟ ସଜାଗ ରହିଥିଲା । ତେବେ ଆଜି ସକାଳୁ ଏହା ଦୁର୍ବଳ ହୋଇଥିବା ଜଣାପଡିଛି । ଯାହାକି 129 ବର୍ଷର ରେକର୍ଡ ବଜାଇ ରହିଛି । ସୂଚନା ଅନୁଯାୟୀ ଡିସେମ୍ବର ମାସରେ ଆଣ୍ଡାମାନ ସାଗର, ବଙ୍ଗୋପ ସାଗର ଓ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ଲଘୁଚାପ ଜନିତ ବାତ୍ୟା 1891ରୁ 2020 ମଧ୍ୟରେ ଓଡିଶା ଉପକୂଳରେ ବାଡେଇ ହୋଇନାହିଁ । ତଥାପି ବାତ୍ୟାର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏଥିରେ ଚାଷୀ ଓ ତଳିଆ ଅଞ୍ଚଳର ଅଧିବାସୀ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ ।
ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହେବା ସହିତ ଆବଶ୍ୟକ ମୁତାବକ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି । ଗତକାଲି ସଂନ୍ଧ୍ୟାରୁ ଝିପିଝିପି ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀ ମାନେ ସମୁଦ୍ର ଉପକୂଳବର୍ତ୍ତୀ କୁହାଯାଉଥିବା ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ଏବଂ ଆଉ ଗୋଟିଏ ଓଡ୍ରାପ୍ଟ ଟିମ୍ ବାସୁଦେବପୁର ଅଞ୍ଚଳରେ ପହଞ୍ଚିଛି । ତତସହିତ ଜିଲ୍ଲାରେ ଥିବା 9 ଗୋଟି ଅଗ୍ନିଶମ ଟିମ୍ ଓ ରାଜ୍ୟରୁ ଆସିଥିବା 4 ଗୋଟି ଟିମ୍ ଏପରି ମୋଟ 13 ଗୋଟି ଟିମକୁ ସଜାଗ କରାଯାଇଛି । ଆବଶ୍ୟକ ହେଲେ ସେମାନଙ୍କୁ ସମୁଦ୍ର ଉପକୂଳ ତଥା ତଳିଆ ଅଞ୍ଚଳକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର 17 ଗୋଟି ଗାଁ ଏବଂ ଚାନ୍ଦବାଲି ବ୍ଲକର 29 ଗୋଟି ମିଶାଇ ମୋଟ 46 ଗୋଟି ଗାଁର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜିଲ୍ଲାରେ ମୋଟ 27 ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ସେହିପରି ବାସୁଦେବପୁର ସମୁନ୍ଦ୍ର ଉପକୂଳରେ ଥିବା ମୋହନପୁର ଠାରେ ସମୂହ ଜୁଆର ଉଠିବା ସମ୍ପର୍କରେ ରାଜ୍ୟ ସରକାର ସତର୍କ କରିବା ପରେ ଜିଲ୍ଲା ପ୍ରଶାସନ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ଥିତି ଉପରେ ନଜର ରଖି ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ