ଭୁବନେଶ୍ବର: ଅବପାତର ରୂପ ନେଲା ବାତ୍ୟା ଜୱାଦ ( cyclone jawad) । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ବାତ୍ୟା । ଅବପାତ ପରେ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ ଠାରୁ ୭୭୦ କିଲୋମିଟର ଦୂରରେ ରହିଛି । ସେହିଭଳି ଗୋପାଳପୁର ଠାରୁ ୬୭୦ କିଲୋମିଟର ଏବଂ ପାରାଦୀପ ଠାରୁ 760 କିଲୋମିଟର ଦୂରରେ ରହିଛି । ଆଗାମୀ 12 ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ଅବପାତ । ପୁରୀର କୌଣସି ଏକ ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛନ୍ତି SRC (Special Relief Commissioner) ପ୍ରଦୀପ ଜେନା ।
ଅବପାତ ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ୪ ତାରିଖ ସକାଳେ ମାଡ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ । ଏହି ସବୁ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ର ୫ ତାରିଖ ଯାଏଁ ଅଶାନ୍ତ ରହିବ । ଉଚ୍ଚ ଜୁଆର ଆସିବ । 3 ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି ।
ବାତ୍ୟାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) SRC ପ୍ରଦୀପ ଜେନା କହିଛନ୍ତି ୨ ଦିନ ତଳେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ତାହା ବାତ୍ୟାରେ ପରିଣତ ହୋଇଛି । ପରାଦୀପଠୁ ୭୬୦ କିମି ଦୂରରେ ଏହା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ସମୁଦ୍ର ଭିତରେ ରିକର୍ଭିଙ୍ଗ କରିବ । ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପୁରୀର କୌଣସି ଜାଗାରେ ଏହା ସ୍ଥଳ ଭାଗ ଛୁଇଁ ପରେ କିମ୍ବା ଅଳ୍ପ ପଶି ପୁଣିଥରେ ସମୁଦ୍ରକୁ ଯାଇପାରେ । ଲ୍ୟାଣ୍ଡଫଲ ବେଳକୁ ପବନ ବେଗ ୯୦ କିମି, ଆବଶ୍ୟକସ୍ଥଳେ ୧୦୦ କିଲୋମିଟର ରହିପାରେ । ଅନ୍ୟ ଏକ ପୂର୍ବାନୁମାନ କରାଯାଇଛି ଏହା ପାରାଲାଲ ହୋଇ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ମଧ୍ୟ ଯାଇପାରେ ବୋଲି ମଧ୍ୟ ଅନୁମାନ କରଯାଉଛି ।
ପ୍ରସ୍ତୁତି ନେଇ ଏସଆରସିଙ୍କ ସୂଚନା