ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ର କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ଏହି ବାତ୍ୟାରେ ମୋଟ 5ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ରହିଛି। ସେହିଭଳି ଯାଜପୁର ଜିଲ୍ଲା ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ସେହିପରି ବାତ୍ୟାରେ କେହି ପ୍ରାଣ ହରାଇନଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଜଣାଇଛନ୍ତି ଏସଆରସି।
ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାରେ ମୋଟ 8218 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ 91ଟି ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଥିଲା । ତେବେ ରବିବାର ସୁଦ୍ଧା ସମସ୍ତେ ନିଜ ଘରକୁ ଫେରିଯାଇଛନ୍ତି। ଏହା ସହ ଗଛ କଟାଯାଇ ରାସ୍ତା ଅବରୋଧ ହଟାଯାଇଛି । 16 ଲକ୍ଷ ବିଦ୍ୟୁତ ଉପଭୋକ୍ତା ସେବା ପାଇବା ପାଇଁ ଅସୁବିଧାର ସାମ୍ନା କରିଥିଲେ। ସେମାନଙ୍କ ମଧ୍ୟରୁ 15ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ 5500 ଘର ଭାଙ୍ଗିଥିବା କୁହାଯାଇଛି । 3 ଲକ୍ଷ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିବା ବେଳେ 11ଟି ପଶୁ ଓ 50ଟି କୁକୁଡ଼ା ମରିଥିବା ରିପୋର୍ଟରେ ଦର୍ଶାଯାଇଛି।