ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାର ଚିତ୍ର ଓ ଦିଗ ସ୍ପଷ୍ଟ ହୋଇନାହିଁ । ତେବେ ଅବପାତର ରୂପ ନେବା ପରେ ଭାରତୀୟ ପାଣିପାଗ କେନ୍ଦ୍ର ସ୍ପଷ୍ଟ ସୂଚନା ଦେଇପାରିବ । ଲ୍ୟାଣ୍ଡଫଲ କରିବ ନାହିଁ, ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ, ଗତକାଲି ଦକ୍ଷିଣ ଅଣ୍ଡାମାନ ସାଗରର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ତାହା ଆଜି କିମ୍ବା ଆସନ୍ତାକାଲି ଅବପାତର ରୂପ ନେବ । ଅବପାତର ରୂପ ନେଇ ତାହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁହାଁଇବ । ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ 10 ତାରିଖ ପର୍ଯ୍ୟନ୍ତ ତାହା ଉପକୂଳ ଠାରୁ ପାଖାପାଖି 250 ରୁ 300 କିମି ଦୂରରେ ରହିଥିବ । ତାପରେ ଗତିପଥ କଣ ରହିଥିବ, ପ୍ରଭାବ ଓ ତୀବ୍ରତା କଣ ହେବ ଆକଳନ ହୋଇନାହିଁ । ଅବପାତର ରୁପ ନେବା ପରେ ପାଣିପାଗ କେନ୍ଦ୍ର ସଠିକ ଆକଳନ କରିପାରିବ ।
ଆସନ୍ତାକାଲି ବାତ୍ୟା ଲ୍ୟାଣ୍ଡଫଲ କରିବ କି ନାହିଁ ସ୍ପଷ୍ଟ ସୂଚନା ମିଳିବ । ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ । ଅବପାତ ରୂପ ନେବା ପରେ ପାଣିପାଗ କେନ୍ଦ୍ର ସ୍ପଷ୍ଟ ଚିତ୍ର ଜାରି କରିବ ବୋଲି କହିଛନ୍ତି ଏସଆରସି । ବର୍ତ୍ତମାନର ଗତିପଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବର୍ତ୍ତମାନର ଚିତ୍ରକୁ କହୁଛି ଯେ, ଏହା ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶାରେ ପହଞ୍ଚିବାର ସମ୍ଭାବନା ରହିଛି ।
ଗତକାଲି ସ୍ପଷ୍ଟ ସୂଚନା ମିଳିବା ପରେ NDRF, ODRAF ଓ ଅଗ୍ନିଶମ ବାହୀନକୁ ନିୟୋଜନ କରାଯିବ । ତେବେ 10 ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ ।