ଭୁବନେଶ୍ବର: ସାଇବର ଠକଙ୍କ ଟାର୍ଗେଟରେ ରାଜଧାନୀ । ଟଙ୍କା ଠକେଇ ପାଇଁ ମାୟାଜାଲ ବିଛାଉଛନ୍ତି ଠକ । ଭିନ୍ନ ଭିନ୍ନ ତରିକାରେ କ୍ଷଣିକରେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ନେଉଛନ୍ତି । ଏପରି ଭାବେ ଦୀର୍ଘ ୭ ମାସରେ ସାଇବର ଠକମାନେ ରାଜଧାନୀ ଭୁବନେଶ୍ବରରୁ ୭ କୋଟି ୭୯ ଲକ୍ଷ ୩୮ ହଜାର ଟଙ୍କା ଲୁଟିଲେଣି । ହେଲେ ଏଯାବତ୍ ୭୦ ଲକ୍ଷ ଟଙ୍କା ପୋଲିସ ଫେରାଇ ଥିବାବେଳେ ୬୦ ଲକ୍ଷ ଟଙ୍କା ବ୍ଲକ କରିଛି କମିଶନରେଟ ପୋଲିସ । ଏବେ ସୁଦ୍ଧା ଅର୍ଥାତ୍ ୭ ମାସରେ ଭୁବନେଶ୍ବରରେ ମୋଟ ସାଇବର ଠକେଇ ସମ୍ପର୍କିତ ୨,୪୬୭ ଟି ରିପୋର୍ଟ ହୋଇଛି ଏବଂ ୩୦ଟି କେସ୍ ହୋଇଛି । ବିଭିନ୍ନ ସାଇବର ଠକାମି ମାମଲାରେ କମିଶନରେଟ ପୋଲିସ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
କେବଳ ଜୁଲାଇ ମାସର ଡାଟା ଦେଖିଲେ, ରାଜଧାନୀରୁ 1 କୋଟି 38 ଲକ୍ଷ ଟଙ୍କା ଠକେଇ ହୋଇଛି । ସେହିପରି ମାତ୍ର 11 ଲକ୍ଷ 39 ହଜାର ଟଙ୍କା ଫେରସ୍ତ(Refund) ହୋଇଥିବା ବେଳେ 18 ଲକ୍ଷ 98 ହଜାର ଟଙ୍କା ବ୍ଲକ୍ ହୋଇଛି । ଗତ ମାସରେ ସମୁଦାୟ 368ଟି ଠକେଇ କଲ ଆସିଥିବା ବେଳେ ତା' ମଧ୍ୟରୁ UPI ଫ୍ରଡ୍ ଅଭିଯୋଗ 148ଟି ରହିଛି । ଏହାପଛକୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ କଲ୍ ୭୧ଟି ଆସିଛି । ଜୁଲାଇ ମାସରେ ଏ ସମ୍ପର୍କିତ ୭ଟି ମାମଲା ରୁଜୁ ହୋଇଛି ।