ଭୁବନେଶ୍ବର: ରକ୍ତ ଆବଶ୍ୟକ ହେଉଛି କି ? ହୋଇଯାଆନ୍ତୁ ହୁସିଆର ! କାରଣ ଆପଣଙ୍କ ଅସମୟର ଫାଇଦା ଉଠାଇବାକୁ ଛକି ବସିଛନ୍ତି ସାଇବର ଠକ । ରକ୍ତଦାନ ଆଳରେ ଆସୁଛି ଠକାମି କଲ୍ । ମହାମାରୀ କାଳରେ ଟଙ୍କା ଠକେଇର ନୂଆ ଫଣ୍ଡା ଆପଣାଇଛନ୍ତି ଠକ । ରାଜଧାନୀରୁ ସେଭଳି କିଛି ଠକେଇ କଲ୍ ଘଟଣା ସମ୍ନାକୁ ଆସିଛି । ଏକ ସାମାଜିକ ସଙ୍ଗଠନର ସଦସ୍ୟ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ।
ମହାମାରୀ କାଳରେ ସାଇବର ଠକଙ୍କ ଚାଲ୍, ରକ୍ତଦାନ ଆଳରେ ଆସୁଛି ଠକାମିର କଲ ସମ୍ପ୍ରତ୍ତି ଡେଙ୍ଗୁ ଓ କୋଭିଡ୍ ରୋଗୀଙ୍କ ପାଇଁ ବିଶେଷ ରକ୍ତର ଆବଶ୍ୟକତା ପଡୁଛି । ତେଣୁ ସତର୍କର ସହ ଭରସାଯୋଗ୍ୟ ଅନୁଷ୍ଠାନ ଓ ଲୋକଙ୍କଠୁ ନିଅନ୍ତୁ ସହଯୋଗ । ଡେଙ୍ଗୁ ଭଳି ରୋଗୀଙ୍କ ପାଇଁ ତତ୍କାଳିନ ରକ୍ତର ସହାୟତା ଯୋଗାଇବାକୁ କହି ଵିଭିନ୍ନ ଗ୍ରୁପ, ଏସଡିପି ଓ ଆରଡିପି ଆଦିର ଭରସା ଯୋଗାଇ ଠକେଇ ପାଇଁ ଟଙ୍କା ମାଗୁଛନ୍ତି ଠକ । ଏମାନେ କେଉଁଠି ଅଛନ୍ତି ତା'ର କୌଣସି ସଠିକ ସୂଚନା ନଥିବା ବେଳେ ଫୋନ ପେ ଓ ଗୁଗଲ ପେ ଭଳି ଅନଲାଇନ ପେମେଣ୍ଟ ଜରିଆରେ ଟଙ୍କା ପଠାଇବାକୁ କହୁଛନ୍ତି । ଯାହାପରେ ବ୍ଲଡ ମିଳିବା ବଦଳରେ ଆପଣଙ୍କ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବ ।
ମହାମାରୀ କାଳରେ ସାଇବର ଠକଙ୍କ ଚାଲ୍, ରକ୍ତଦାନ ଆଳରେ ଆସୁଛି ଠକାମିର କଲ ଭୁବନେଶ୍ବରସ୍ଥିତ 'କଥା ଦେଉଚି ମୁଁ ପହଁଞ୍ଚିବି' ସଙ୍ଗଠନ ପକ୍ଷରୁ ଠକେଇ କଲ୍ ସମ୍ପର୍କରେ ଏହି ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ଏହି ସଙ୍ଗଠନ ସହ ଯୋଗାଯୋଗ କରିଥାନ୍ତି । ପରେ ରକ୍ତ ଦେବାକୁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ସହ ସଙ୍ଗଠନ ଯୋଗାଯୋଗ କରି ରକ୍ତର ଯୋଗାଡ କରିଥାଏ । ଅଭିଯୋଗ ଅନୁଯାୟୀ, ଏହି ସଙ୍ଗଠନକୁ ଏକ କଲ୍ ଆସିଥିଲା । ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି ସମ୍ପୃକ୍ତ ସଂସ୍ଥାକୁ ରକ୍ତ ଯୋଗାଇ ଦେବାକୁ ଭରସା ଜନ୍ମାଇଥିଲା । ଏଥିପାଇଁ ସେ ଅନଲାଇନ ପେମେଣ୍ଟ ଜରିଆରେ ଟଙ୍କା ମାଗିଥିଲା । ହେଲେ ସଂସ୍ଥାର ସଦସ୍ୟ ଏହା ଏକ ଠକେଇ ବା ଫ୍ରଡ୍ କଲ୍ ବୋଲି ଜାଣି ପାରିଥିଲେ ଏବଂ ଏନେଇ ସେ କ୍ୟାପିଟାଲ ଥାନାରେ ଅଭଯୋଗ କରିଛନ୍ତି । ଏଥିସହ ଏଭଳି ଫ୍ରଡ୍ କଲଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ମହାମାରୀ କାଳରେ ସାଇବର ଠକଙ୍କ ଚାଲ୍, ରକ୍ତଦାନ ଆଳରେ ଆସୁଛି ଠକାମିର କଲ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ