ହାଇଦ୍ରାବାଦ:ବର୍ଷ ୨୦୨୧...ଯାହା ଆଉ ମାତ୍ର କେଇଟା ଦିନପରେ ଶେଷ ହୋଇଯିବ । ସରିବାକୁ ଥିବା ଏହି ବର୍ଷରେ ଅନେକ ବଡ ବଡ ଘଟଣା ଓ ଦୁର୍ଘଟଣାର ସାମ୍ନା କରିଛନ୍ତି ଓଡିଶାବାସୀ । ହେଲେ ଚଳିତ ବର୍ଷ ଏମିତି କିଛି ଘଟଣା ଘଟିଥିଲା ଯାହା ଅଦୃଶ୍ୟ ଥିଲେ ମଧ୍ୟ ବେଶ କ୍ଷତାକ୍ତ କରିଥିଲା । ବିନା କୌଣସି ଆକ୍ରମଣରେ ଚୁଟକୀରେ ଉଡୁଥିଲା ଲୋକଙ୍କ ହୋସ, ଖାଲି ହେଉଥିଲା ଲୋକଙ୍କ ଆକାଉଣ୍ଟ । ଆଉ ଆଖି ପିଛୁଳାକେ ଗାଏବ ହେଉଥିଲା କୋଟି କୋଟି ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ।
ଆମେ କହୁଛୁ ସାଇବର କ୍ରାଇମ୍ ବା ଅଦୃଶ୍ୟ ଲୁଟେରାଙ୍କ ମାୟାଜାଲ କଥା । ଯେଉଁ ମାନେ ଚଳିତ ବର୍ଷ ନିଜର ଦବଦବା ଦେଖାଉଥିଲେ ଓଡ଼ିଶାରେ । ଆଉ ସେମାନଙ୍କ ମାୟାଜାଲ ମୋହରେ ପଡି କୋଟି କୋଟି ହରାଇଛନ୍ତି ରାଜ୍ୟବାସୀ । ଯେଉଁଥିପାଇଁ ଓଡିଶା ଦେଶର ସାଇବର କ୍ରାଇମରେ 6 ନମ୍ବର ସ୍ଥାନରେ ରହିଛି ।
ଅଙ୍ଗୁଳି ଟିପରେ ଲୋକଙ୍କୁ ମୋହରା ବନେଇ, ଦେଇଥିଲେ ଗୋଟିଏ ପରେ ଗୋଟିଏ ଝଟକା । ଆଉ ଏହି ଅଦୃଶ୍ୟ ଲୁଟେରାଙ୍କ ମାୟା ଜାଲରେ ଛନ୍ଦି ହୋଇଯାଇଥିଲେ ରାଜ୍ୟବାସୀ । କେତେବେଳେ ୟୁପିଆଇ (UPI), ତ ପୁଣି କେତେଳେ ଫୋନ୍ କଲ ଓ ଆଉ କେତେବେଳେ ସୋସିଆଲ ମିଡ଼ିଆକୁ ମାଧ୍ୟମ କରି ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା ସହ ଅନେକ ତଥ୍ୟ । ସାଧାରଣ ଜନତା ଠାରୁ ଆରମ୍ଭ କରି ବଡବଡିଆ, ସମସ୍ତେ ସାଇବର ପଞ୍ଝାରେ ପଡି ଲକ୍ଷଲକ୍ଷ ଟଙ୍କା ହରାଇ ଅଣନିଶ୍ବାସୀ ହୋଇପଡିଲେଣୀ ।
ଚଳିତ ବର୍ଷ 11ମାସରେ ଓଡିଶାକୁ ଆସିଛି ୩୩୭୮ଟି ସାଇବର ଠକେଇ କଲ ଏବଂ ଲୁଟ ହୋଇଛି ପାଖାପାଖି ୫୦ କୋଟି । ଚଳିତ ବର୍ଷ ରାଜ୍ୟରେ ଏମିତି ଅନେକ ବଡ ବଡ ସାଇବର ଅପରାଧ ହୋଇଛି ଯାହା ବେଶ ଚର୍ଚ୍ଚାରେ ରହିଥିଲା । ନଜର ପକାନ୍ତୁ ବର୍ଷ ତମାମର କିଛି ବଡ ବଡ ସାଇବର କ୍ରାଇମ ଉପରେ ।
ଚାନ୍ଦିପୁର DRDO ତଥ୍ୟ ଲିକ୍ ଘଟଣା
ସେପ୍ଟେମ୍ବର ମାସ 2021 । ଚାନ୍ଦିପୁର DRDOରୁ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ ଲିକ ଘଟଣା ସାମ୍ନାକୁ ଆସିଥିଲା । ଦେଶରେ ରହି ଦେଶ ବିରୋଧୀ ଶତ୍ରୁ ଦେଶ ସହ ହାତମି ଳାଇ ପ୍ରତିରକ୍ଷା ସମ୍ପର୍କତ ତଥ୍ୟ ପ୍ରଘଟ ପାଇଁ ବିଛା ଯାଇଥିଲା ମାୟାଜାଲ । ଯାହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଗଲା । ଏହି ଘଟଣାରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ସହ ଲିଙ୍କ ଥିବା ଆଶଙ୍କା ଓ ଅଭିଯୋଗକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ । ପ୍ରାଥମିକସ୍ତରରେ ବାଲେଶ୍ବର ପୋଲିସ ତଦନ୍ତ କରିଥିବା ବେଳେ ପରେ ମାମଲାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ITRର ୫ ଜଣ କର୍ମଚାରୀ ବସନ୍ତ ବେହେରା, ସେକ୍ ମୁସାଫିର, ହେମନ୍ତ କୁମାର ମିସ୍ତ୍ରି , ତାପସ ରଞ୍ଜନ ନାୟକ ଓ ସଚିନ ଛତାଙ୍କୁ ବାନ୍ଧିଥିଲା କ୍ରାଇମ ବ୍ରାଞ୍ଚ । ପରେ ପରେ ସାମ୍ନାକୁ ଆସିଥିଲା ହନି ଟ୍ରାପର ‘ଟପ ସିକ୍ରେଟ’ କଥା ।
ମାୟାବିନୀଙ୍କ ପ୍ରେମ ଫାଶରେ ଫସି, ଟଙ୍କା, ଅଶ୍ଲୀଳ ଫଟୋ ଭଡିଓ ବଦଳରେ ଏହି ୫ ଜଣ ଅଭିଯୁକ୍ତ ଦେଇଚାଲିଥିଲେ ITR ର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଯାହା ପୋଲିସ ଆଗରେ ସ୍ବୀକାର କରିଥିଲେ । ପରେ ଘଟଣାର ଗମ୍ଭୀରତାକୁ ଦେଖି ଓଡିଶା କ୍ରାଇମବ୍ରାଞ୍ଚ ଓ ଭାରତୀୟ ବାୟୁସେନାର ଅଧିକାରୀ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ କରିଥିଲେ ।
କେମିତି ସାମନାକୁ ଆସିଲା ଘଟଣା ?
ସେପ୍ଟେମ୍ବର ମାସ ଦ୍ବିତୀୟ ସପ୍ତାହ ପ୍ରାରମ୍ଭରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ (Intelligence Bureau)ରୁ ବାଲେଶ୍ବର ପୋଲିସକୁ କିଛି ଗୁପ୍ତ ସୂଚନା ଆସିଥିଲା । ସୂଚନା ପାଇବା ମାତ୍ରେ ବାଲେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମର ଆଖି ଲାଖି ରହିଲା ITR ଉପରେ । କିଏ ଯାଉଛି, ଆସୁଛି, କଣ ଗବେଷଣା ଚାଲିଛି, କାହାର କଣ ଭୂମିକା । ଆଉ ଠୋସ ପ୍ରମାଣ ପାଇବା ପରେ ୧୪ ତାରିଖ ରାତିରେ ITR ୪ ଜଣ ଠିକା କର୍ମଚାରୀଙ୍କ ସମେତ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ହେପାଜତକୁ ନିଏ ପୋଲିସ । ତାପରେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଲା ଦେଶଦ୍ରୋହୀଙ୍କ ଧର୍ତ୍ତବ୍ୟ ଅପରାଧ ।
ଫସିଥିଲେ ହନିଟ୍ରାପରେ ....
DRDO ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ ସମ୍ପର୍କ ଯୋଡିଥିଲା ପାକିସ୍ତାନୀ ISI ଏଜେଣ୍ଟ ରହସ୍ୟମୟୀ ମହିଳା । କାହାକୁ କନସଲଟାଣ୍ଟ ବ୍ୟବସାୟ, ତ କାହାକୁ ସୌନ୍ଦର୍ଯ୍ୟର ମାୟାଜାଲ, ପୁଣି କାହାକୁ ବିବାହ କରିବାକୁ ପ୍ରତିଶୃତି, ପୁଣି କାହାକୁ ଶାରୀରିକ ସମ୍ପର୍କ ପାଇଁ ସମ୍ମତି ଦେଇ ସଂଗ୍ରହ କରିବାରେ ଲାଗିଲା ଦେଶରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ । ମହିଳା ଜଣଙ୍କ ନିଜ ପରିଚୟ ଓ ଠିକଣାକୁ ଲୁଚାଇବାକୁ ଜର୍ମାନ, ୟୁଏସ ଓ ଭାରତ ନାଁରେ ଥିବା ପ୍ରକ୍ସି ସର୍ଭର ମଧ୍ୟ ବ୍ୟବହାର କରୁଥିଲା । ରହସ୍ୟମୟୀଙ୍କ ୪ଟି ଫେସ୍ବୁକ୍ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିବା ବେଳେ ୪ଟି ରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ପରିଚାଳିତ ହେଉଥିଲା । ପ୍ରକ୍ସି ଆଇପି ଜରିଆରେ ଲୋକେସନ ଲୁଚାଉଥିଲେ ରହସ୍ୟମୟୀ । ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲା । ତେବେ ଏହି ଘଟଣାର ଏଯାଏଁ ଶେଷ ହୋଇନାହିଁ ତଦନ୍ତ । ତଦନ୍ତ ଜାରି ରହିଥିବା ବେଳେ, ୫ ଅଭିଯୁକ୍ତ ଏବେ ଜେଲରେ କାଟୁଛନ୍ତି ଦିନ । ଆଉ ଏହି ଘଟଣା ଥିଲା ବର୍ଷ ୨୦୨୧ ର ଆଉ ଏକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ।
OCAC ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ୍ କରି 7 ଲକ୍ଷ ଲୁଟ
୨୦୨୧ ନଭେମ୍ବର ୧୧ । ସାଇବର ଜାଲରେ ଛନ୍ଦି ହୋଇପଡିଥିଲେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ମୁଖ୍ୟ ମନୋଜ କୁମାର ପଟ୍ଟନାୟକ । OCAC ମୁଖ୍ୟଙ୍କ ହ୍ବାଟ୍ସଆପ ହ୍ୟାକ କରି ୟୁପିଆଇ ପେମେଣ୍ଟ ଜରିଆରେ ଅଦୃଶ୍ୟ ଲୁଟେରା ଲୁଟିନେଇଥିଲେ ୭ଲକ୍ଷ ଟଙ୍କା । ତାହା ପୁଣି ଭିନ୍ନ ଭିନ୍ନ ଆକାଉଣ୍ଟରୁ । ଯାହାକୁ ନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ୨ ଜଣିଆ ଟିମ ଓକାକ ଅଫିସରେ ତଦନ୍ତ କରିଥିଲା । ତେବେ ତଦନ୍ତ ପରେ ଟଙ୍କା ଠକେଇ କରିଥିବା ସାଇବର ଠକ ନାଇଜେରିଆର ଅକ୍ୟୁଦୁରୀ ପାସ୍କେଲ ବୋଲି ଜଣାପଡିଥିଲା । ଏହାପରେ କ୍ରାଇମ ବ୍ରାଞ୍ଚ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା ।
ଗଙ୍ଗା ଜଳ କିଣୁ କିଣୁ ଆଇପିଏସଙ୍କ ପତ୍ନୀଙ୍କ ଠାରୁ ୧୦ଲକ୍ଷ ଠକେଇ
ଚଳିତ ମାସ ୧୭ ତାରିଖରେ ରାଜଧାନୀରେ ସାମ୍ନାକୁ ଆସିଥିଲା ସାଇବର ଠକେଇର ଏପରି ଘଟଣା । ଯାହାର ଶିକାର ହୋଇଥିଲେ ଖୋଦ IPSଙ୍କ ପତ୍ନୀ । ୨୦୧୯ରେ ସେ ଅନଲାଇନରେ ୨ ହଜାର ଟଙ୍କା ଦେଇ ଗଙ୍ଗା ଜଳ କିଣିଥିଲେ । କିନ୍ତୁ ୨୦୨୧ରେ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ କଟି ଯାଇଥିଲା । ଏହାପରେ ସାଇବର ଠକ ଠକି ନେଇଥିବା ସେ ସନ୍ଦେହ କରିଥିଲେ । ଗତ ୨ ବର୍ଷ ହେବ ଏଭଳି ଟଙ୍କା ଠକେଇ ହେଉଥିବା ନେଇ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ କିପରି ଏହି ଟଙ୍କା କଟିଛି ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।