ଓଡିଶା

odisha

ETV Bharat / city

ପ୍ରତି ୨୯ ସେକେଣ୍ଡରେ ଦେଶ ଉପରେ ହେଉଛି ସାଇବର ଆକ୍ରମଣ: ପବିତ୍ରାନନ୍ଦ ପଟ୍ଟନାୟକ - ଜନସମ୍ପର୍କ କାର୍ଯ୍ୟାଳୟ

ପ୍ରତି ୨୯ ସେକେଣ୍ଡରେ ଦେଶ ଉପରେ ସାଇବର ଆକ୍ରମଣ ହେଉଛି । ଏହା କହିଛନ୍ତି ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଡକ୍ଟର ପବିତ୍ରାନନ୍ଦ ପଟ୍ଟନାୟକ । ଅଧିକ ପଢନ୍ତୁ

ପ୍ରତି ୨୯ ସେକେଣ୍ଡରେ ଦେଶ ଉପରେ ହେଉଛି ସାଇବର ଆକ୍ରମଣ
ପ୍ରତି ୨୯ ସେକେଣ୍ଡରେ ଦେଶ ଉପରେ ହେଉଛି ସାଇବର ଆକ୍ରମଣ

By

Published : May 12, 2022, 10:40 AM IST

ଭୁବନେଶ୍ବର:ପ୍ରତି ୨୯ ସେକେଣ୍ଡ ବ୍ୟବଧାନରେ ଦେଶ ଉପରେ ଗୋଟିଏ ସାଇବର ଆକ୍ରମଣ ହେଉଛି । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଡକ୍ଟର ପବିତ୍ରାନନ୍ଦ ପଟ୍ଟନାୟକ ଏହା କହିଛନ୍ତି । ରାଷ୍ଟ୍ରୀୟ ବୈଷୟିକ ଦିବସ ପାଳନ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ 'ବୈଷୟିକ କୌଶଳ ଏବଂ ଦୀର୍ଘ ସ୍ଥାୟୀ ପ୍ରଗତି' ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଦେଇ ପବିତ୍ରାନନ୍ଦ ପଟ୍ଟନାୟକ କହିଛନ୍ତି ଯେ, ''ପ୍ରଗତି କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ଜରୁରୀ । କିନ୍ତୁ ଏହାର ବ୍ୟବହାର କ୍ଷେତ୍ରରେ ନିରାପତ୍ତା ଏକ ବଡ ପ୍ରସଙ୍ଗ ହୋଇ ଛିଡା ହୋଇଛି ।

ସାଇବର ଆକ୍ରମଣର ଭୟ ରହିଥିବା ଯୋଗୁଁ ବୈଷୟିକ କୌଶଳର ବ୍ୟବହାରକାରୀମାନେ ପାସୱାର୍ଡ, ଓଟିପି, ଡିଜିଟାଲ ସ୍ବାକ୍ଷର, ନେଟୱାର୍କ ସମସ୍ୟା ବ୍ୟାଙ୍କ ସହିତ ସମ୍ପର୍କ ଯୋଡିବା ଆଦି ବିଭିନ୍ନ କ୍ଷେତ୍ରରେ ଜ୍ଞାନ ହାସଲ କରିବା ଜରୁରୀ । ଦୀର୍ଘସ୍ଥାୟୀ ପ୍ରଗତି ନିମିତ୍ତ କୃଷି, ସ୍ବାସ୍ଥ୍ୟ, ଭିତ୍ତିଭୂମି ଗଠନ, ସୂଚନା ବିଜ୍ଞାନ, ଗଣଯୋଗାଯୋଗ ଆଦି କ୍ଷେତ୍ରଗୁଡିକର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହିସବୁ କ୍ଷେତ୍ରର ସଦୁପଯୋଗ ନିମନ୍ତେ ବୈଷୟିକ କ୍ଷେତ୍ରରେ ନିରାପତ୍ତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ ।''

ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ବିଜିନେସ ଆଡମିନିଷ୍ଟ୍ରସେନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପଲ୍ଲବୀ ମିଶ୍ର କହିଛନ୍ତି ଯେ, ''ବର୍ତ୍ତମାନ ବୈଷୟିକ ଜ୍ଞାନ କୌଶଳର ଅତି ମାତ୍ରାରେ ପ୍ରୟୋଗ ହେଉଛି । ଏହା ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଛି । ସାଧାରଣ ଜୀବନ, ସମାଜ, ପରିବେଶ ଆଦି କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ଅତ୍ୟାବଶ୍ୟକ ଅଙ୍ଗ ହୋଇ ପଡିଛି । ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ ଓ ଏବଂ ବସ୍ତ୍ର ପ୍ରସଙ୍ଗରେ ଆଲୋଚନା କରି କୃଷି କ୍ଷେତ୍ରରେ ସଂଶ୍ଳିଷ୍ଟ ପ୍ରସଙ୍ଗଗୁଡିକରେ ବୈଷୟିକ କୌଶଳର ପ୍ରୟୋଗ ଉତ୍ପାଦନକୁ ବୃଦ୍ଧି କରିପାରୁଛି । ସେହିପରି ବସ୍ତ୍ର ଉତ୍ପାଦନରେ ପରିବେଶ ଅନୁକୂଳ ପଦ୍ଧତି, ରଙ୍ଗ ବ୍ୟବହାର ଆଦି କ୍ଷେତ୍ରରେ ବୈଷୟିକ କୌଶଳ ପ୍ରୟୋଗ ସମ୍ପର୍କରେ ସେ ଆଲୋଚନା କରିଛନ୍ତି ।

ପ୍ରତି ୨୯ ସେକେଣ୍ଡରେ ଦେଶ ଉପରେ ହେଉଛି ସାଇବର ଆକ୍ରମଣ: ପବିତ୍ରାନନ୍ଦ ପଟ୍ଟନାୟକ

ଏ ସବୁର ପରିଚାଳନାରେ ମାନବ ସମ୍ବଳର ବିନିଯୋଗ, ସମ୍ବଳ, ପରିବେଶର ପ୍ରଭାବ ଆଦି ଦୀର୍ଘସ୍ଥାୟୀ ପ୍ରଗତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣର ଯୁଗ୍ମ କମିଶନର ସଞ୍ଜୟ କୁମାର ବିଶ୍ବାଳ କହିଛନ୍ତି, ଦେଶର ଦୀର୍ଘସ୍ଥାୟୀ ପ୍ରଗତି କ୍ଷେତ୍ରରେ ପରିବହନ ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ । ସଡ଼କ ପଥ ପରିବହନ ବ୍ୟବସ୍ଥାରେ ବୈଷୟିକ କୌଶଳର ପ୍ରୟୋଗ ବିନା ପ୍ରଗତି ଅସମ୍ଭବ । ତେଣୁ ପରିବହନ କ୍ଷେତ୍ରରେ ଗାଡିର କିଣାଠାରୁ ସମସ୍ତ ପ୍ରକାରର ପ୍ରମାଣପତ୍ର ପର୍ଯ୍ୟନ୍ତ, ଦୁର୍ଘଟଣାରୁ ଆରମ୍ଭ କରି ଗାଡି ଟ୍ରାକିଂ ହେଲପ ଲାଇନ ନମ୍ବର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ହେଉଛି ।

ଏହାର ପ୍ରୟୋଗ ଯୋଗୁଁ ବର୍ତ୍ତମାନ ଗତ ବର୍ଷଗୁଡିକ ତୁଳନାରେ ସଡକ ଦୁର୍ଘଟଣାକୁ ପନ୍ଦର ଶତାଂଶ କମାଇ ଦିଆଯାଇପାରିଛି । ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ରାଷ୍ଟ୍ରୀୟ ବୈଷୟିକ କୌଶଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ବର୍ତ୍ତମାନ ଏହି ଦିବସ ପାଳନ ଦୀର୍ଘସ୍ଥାୟୀ ପ୍ରଗତି ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି । ୧୯୯୯ ମସିହାଠାରୁ ଆମ ଦେଶରେ ଏହି ଦିବସ ପାଳନ କରାଯାଉଛି । ଆକାଶବାଣୀର ବାର୍ତ୍ତା ସମ୍ପାଦକ ଇତିଶ୍ରୀ ସିଂହ ରାଠୋର ଆଲୋଚନାର ଆଭିମୁଖ୍ୟ ବର୍ଣ୍ଣନା କରି ଏହାର ପରିଚାଳନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details