ଭୁବନେଶ୍ବର:କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ । କଂଗ୍ରେସ ଭବନରେ ତାଙ୍କ ନାମରେ ଚୂଡ଼ାନ୍ତ ମୋହର ମାରିଲା କଂଗ୍ରେସ । ଏହାପୂର୍ବରୁ ପୌର ନିର୍ବାଚନ ନେଇ କଂଗ୍ରେସ ମାନସ ମନ୍ଥନ କରିଥିଲା । ବୁଧବାର କଂଗ୍ରେସର କୋର କମିଟି ବୈଠକ ବସିଥିଲା ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୌର ନିର୍ବାଚନ, ମେୟର ଏବଂ କର୍ପୋରେଟର ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲା । ଏଥିରେ କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଥିଲା । ଏହାସହ କଟକ ମହାନଗର ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୂଡ଼ାନ୍ତ କରିଛି କଂଗ୍ରେସ । ଏହି ବୈଠକରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ବିଧାୟକ ସନ୍ତୋଷ ସିଂ ସାଳୁଜା ଓ ରମେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ ।